ରାଜ୍ୟ

Government rental housing: ଏଥର ଭୁବନେଶ୍ବରରେ ମିଳିବ ସରକାରୀ ଭଡ଼ାଘର: ଗାଡ଼କଣରେ ୨୦ କୋଟିର ଆବାସିକ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ବରରେ ଏଥର ସରକାରୀ ଭଡ଼ାଘର ମିଳିବ। ରାଜ୍ୟ ସରକାର ପ୍ରଥମ ଥର ପାଇଁ ଭୁବ‌ନେଶ୍ବର ମହାନଗର ନିଗମ ଅନ୍ତର୍ଗତ ଗାଡ଼କଣରେ ଏହି ଭଡ଼ାଘର ନିର୍ମାଣ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା...

ଭୁବନେଶ୍ବର: ଭୁବନେଶ୍ବରରେ ଏଥର ସରକାରୀ ଭଡ଼ାଘର ମିଳିବ। ରାଜ୍ୟ ସରକାର ପ୍ରଥମ ଥର ପାଇଁ ଭୁବ‌ନେଶ୍ବର ମହାନଗର ନିଗମ ଅନ୍ତର୍ଗତ ଗାଡ଼କଣରେ ଏହି ଭଡ଼ାଘର ନିର୍ମାଣ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା(ବନ୍ଧୁ)ରେ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ୩ଶହ ଭଡ଼ାଘର ନିର୍ମାଣ ହେବ। ୬ ମାସ ଭିତରେ ଏହି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରି-କାଷ୍ଟିଂ ଶୈଳୀରେ ଏହି କୋଠା ନିର୍ମାଣ ହେବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ବରରେ ଯେଉଁଭଳି ଘରଭଡ଼ା ଚଢ଼ା ହେଲାଣି, ସେଠି ସ୍ବଳ୍ପ ଦରମାରେ ରହିବାକୁ ଚାହୁଥିବା ଲୋକଙ୍କୁ ଏହି ଭଡ଼ାଘର ପ୍ରକଳ୍ପ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବସ୍ତିବାସିନ୍ଦାଙ୍କୁ ଦୁଇ ଆବାସିକ ପ୍ରକଳ୍ପ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) ଅଧୀନରେ ଆଫୋର୍ଡେବଲ୍‌ ହାଉସିଂ ଯୋଜନାରେ ଗାଡ଼କଣରେ ୬ ଏକରରୁ ଅଧିକ ଜମିରେ ୯୪.୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ମୁକ୍ତେଶ୍ବର ରେସିଡେନ୍ସି ଓ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬.୪୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୀଳକଣ୍ଠେଶ୍ବର ନିବାସକୁ ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ମୁକ୍ତେଶ୍ବର ରେସିଡେନ୍ସିରେ ୬୮୦ଟି  ଓ ନୀଳକଣ୍ଠେଶ୍ବର ନିବାସରେ ୯୨୮ଟି ଘର, ଏଭଳି ମୋଟ ୧,୬୦୮ଟି ଗୃହ ନିର୍ମାଣ କରାଯାଇଛି। ଏଠାରେ ଖେଳପଡ଼ିଆ, ବ୍ୟାୟାମଶାଳା ସାଙ୍ଗକୁ ରାସନ୍‌, ପେନ୍‌ସନ୍‌, ଅଙ୍ଗନବାଡ଼ି, ଦୋକାନ ଘର ଆଦି ବ୍ୟବସ୍ଥା କରାଯାଇଛି। ଏଥିସହ ବହୁଦିନରୁ ଲୋକାର୍ପଣ ଅପେକ୍ଷାରେ ଥିବା ଘାଟିକିଆ ବଜରଙ୍ଗୀ ଖେଳପଡ଼ିଆ ସହ ନଖରା, ସହିଦନଗର ଉଚ୍ଚବିଦ୍ୟାଳୟ, କେ-୪, କୋଳଥିଆ, ଘାଟିକିଆ ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ସିବିଏସ୍‌ଇ ଖେଳପଡ଼ିଆ, ତମାଣ୍ଡୋ, ଡମଣା ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ, ଯଦୁପୁର, ୟୁନିଟ୍‌-୮ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ୩୫ ଏକର ଜମିରେ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଏହି ୧୨ଟି ଖେଳପଡ଼ିଆକୁ ଅତ୍ୟାଧୁନିକ ରୂପ ଦିଆଯାଇଛି। ଏହି ଅବସରରେ ବୁଦ୍ଧବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ୯୬୨ଟି ପରିବାରଙ୍କୁ ଗୃହ ପ୍ରବେଶ କରାଇଛନ୍ତି।

ଗାଡ଼କଣରେ ୨୦ କୋଟିର ଆବାସିକ ପ୍ରକଳ୍ପର ଶିଳାନ୍ୟାସ
ବସ୍ତିବାସିନ୍ଦାଙ୍କୁ ୧୬୧.୩୮ କୋଟିର ଦୁଇ ଆବାସିକ ପ୍ରକଳ୍ପ ଭେଟି 
ଲୋକାର୍ପିତ ହେଲା ୪୦ କୋଟିର ୧୨ ଅତ୍ୟାଧୁନିକ ଖେଳପଡ଼ିଆ
ଝୁମ୍ପୁଡ଼ିରୁ ଛାତଘର ସ୍ବପ୍ନ ସାକାର ହୋଇଛି: ମୁଖ୍ୟମନ୍ତ୍ରୀ

ଏହି ଉପଲକ୍ଷେ ଘାଟକିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଆଜି ବସ୍ତିବାସିନ୍ଦାଙ୍କ ଝୁମ୍ପୁଡ଼ିରୁ ଛାତଘର ସ୍ବପ୍ନ ସାକାର ହୋଇଛି। ଡବଲ୍‌ ଇଂଜିନ୍‌ ସରକାର ଏହି ସ୍ବପ୍ନ ପୂରଣ କରିଛନ୍ତି। ଦେଶ ସ୍ବାଧୀନ ହେବାର ୬ ଦଶନ୍ଧି ଧରି ଏଭଳି ଲୋକଙ୍କୁ ଛାତଘର ଦେବେ କହି ଭଣ୍ଡା ଯାଉଥିଲା। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସ୍ତି ଲୋକଙ୍କୁ ଏଭଳି ଘର ଦେବାର ପ୍ରତିଶ୍ରୁତି ଦେଇଥିଲେ ଓ ଆଜି ପ୍ରତିଶ୍ରୁତି ପାଳନ କରିଛନ୍ତି। କେବଳ ଘର ନୁହେଁ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ଦେଉଛନ୍ତି। ପାଣି, ବିଜୁଳି, ଗ୍ୟାସ୍‌ ଆଦିର ସୁବିଧା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) ୧.୦ରେ ୧.୭୨ଲକ୍ଷଙ୍କୁ ଓ ୨.୦ରେ ୩୪,୫୯୨ଜଣଙ୍କୁ ଘର ମିଳି ସାରିଲାଣି। ଏହି ଯୋଜନାରୁ ବଞ୍ଚିତ ବର୍ଗଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ୫ଲକ୍ଷ ଲୋକଙ୍କୁ ଘର ଦେବାକୁ ଲକ୍ଷ୍ୟ ରଖାଯାଇଥିଲା, ଆଜି ସୁଦ୍ଧା ୨.୫୦ଲକ୍ଷ ଲୋକଙ୍କ ଘର ଦିଆସରିଛି। ଭୁବନେଶ୍ବରରେ ବସ୍ତିବାସିନ୍ଦାମାନେ ସୁରକ୍ଷା ଓ ସମ୍ମାନର ସହ ବଞ୍ଚିବା ସାଙ୍ଗକୁ ଜୀବନଜୀବିକାର ଯେଉଁ ସ୍ବପ୍ନ ଦେଖୁଥିଲେ, ତାହା ଆଜି ବାସ୍ତବ ରୂପ ନେଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button