Pregnancy test: ଲଲିପପ୍ ଦ୍ବାରା ଗର୍ଭଧାରଣ ପରୀକ୍ଷା
ଆମେରିକାର କାର୍ନେଗି ମେଲନ୍ ୟୁନିଭର୍ସିଟିର ସ୍ନାତକୋତ୍ତର ଛାତ୍ରୀ ସ୍ନେହା ରାଓ ପ୍ରେଗ୍ନାନ୍ସି ଟେଷ୍ଟ ବା ଗର୍ଭଧାରଣ ପରୀକ୍ଷା ନିମନ୍ତେ ଏକ ଚେପ୍ଟା ଲଲିପପ୍ ତିଆରି କରିଛନ୍ତି। ଦୃଷ୍ଟିବାଧିତା ମହିଳାମାନେ ଅନ୍ୟ କାହାରି ସହାୟତା...

ଆମେରିକାର କାର୍ନେଗି ମେଲନ୍ ୟୁନିଭର୍ସିଟିର ସ୍ନାତକୋତ୍ତର ଛାତ୍ରୀ ସ୍ନେହା ରାଓ ପ୍ରେଗ୍ନାନ୍ସି ଟେଷ୍ଟ ବା ଗର୍ଭଧାରଣ ପରୀକ୍ଷା ନିମନ୍ତେ ଏକ ଚେପ୍ଟା ଲଲିପପ୍ ତିଆରି କରିଛନ୍ତି। ଦୃଷ୍ଟିବାଧିତା ମହିଳାମାନେ ଅନ୍ୟ କାହାରି ସହାୟତା ବିନା ଏହି ଲଲିପପ୍କୁ ପାଟିରେ ପକାଇ ଗର୍ଭ ସଞ୍ଚାର ହୋଇଛି କି ନାହିଁ ଜାଣିପାରିବେ।
ଯଦି ଗର୍ଭ ସଞ୍ଚାର ହୋଇଥିବ ତେବେ ଏହି ଲଲିପପ୍ର ଦୁଇପଟରେ ଛୋଟ ଛୋଟ ଗୁବା ଉଠିବ। ଜିଭ ଦ୍ବାରା ସେମାନେ ଏହା ବାରିପାରିବେ। ଗର୍ଭଧାରଣ କରିବାର ୬ରୁ ୧୦ ଦିନ ଭିତରେ ସ୍ତ୍ରୀଲୋକଙ୍କ ଦେହରେ ହ୍ୟୁମାନ୍ କୋରିଓନିକ୍ ଗନଡୋଟ୍ରୋପିନ୍ ବା ‘ଏଚ୍ସିଜି’ ହର୍ମୋନ୍ କ୍ଷରଣ ହୋଇଥାଏ। ଏହି ହର୍ମୋନ୍ ଲାଳରେ ମଧ୍ୟ ଥାଏ। ଲଲିପପ୍ରେ ଦିଆଯାଇଥିବା ଖାଇବାଯୋଗ୍ୟ ସବ୍ଲିଙ୍ଗୁଆଲ୍ ଫିଲ୍ମ ସହିତ ଏହି ହର୍ମୋନ୍ର ପ୍ରତିକ୍ରିୟା ଘଟି ଏଭଳି ଗୁବା ଉଠେ। ଏହି ଲଲିପପ୍ ଜେଲାଟିନ୍ରେ ତିଆରି ଏବଂ ଏହାର ଠିକ୍ ଫଳାଫଳ ହାର ୯୬ ପ୍ରତିଶତ।
ସାଧାରଣତଃ ମହିଳାମାନେ ମୂତ୍ର ପରୀକ୍ଷା କିଟ୍ ବ୍ୟବହାର କରି ଗୋପନୀୟ ଭାବେ ଗର୍ଭଧାରଣ ପରୀକ୍ଷା କରିଥାଆନ୍ତି। କିନ୍ତୁ, ଦୃଷ୍ଟିବାଧିତ ମହିଳାମାନେ ଏକାକୀ ତାହାର ଫଳାଫଳ ଜାଣିବା ସମ୍ଭବ ନୁହେଁ। ତାହା ସମ୍ଭବ କରିବା ଲାଗି ୨୭ ବର୍ଷୀୟା ରାଓ ଅନେକ ଗବେଷଣା କରି ଏହି ଲଲିପପ୍ ତିଆରି କରିଛନ୍ତି। ଏଥିପାଇଁ ସେ କାର୍ନେଗି ମେଲନ୍ ବାୟୋମେଡିକାଲ୍ ଇଞ୍ଜିନିୟରିଙ୍ଗ୍ ବିଶେଷଜ୍ଞ ୱେନ୍ ଚଙ୍ଗ୍ଙ୍କ ସାହାଯ୍ୟ ନେଇଥିଲେ। ଖାଦ୍ୟ ଓ ଔଷଧ ମିଶାଇ ଏହି ଲଲିପପ୍ ତିଆରି କରାଯାଇଛି। କିଛିସମୟ ପରେ ଏହି ଲଲିପପ୍ରେ ଉଠିଥିବା ଗୁବା ସବୁ ଉଭେଇଯାଏ। ଜଣେ ଚାହିଁଲେ ଏହି ଲଲିପପ୍କୁ ଖାଇପାରିବେ। ନଚେତ୍ ଫଳାଫଳ ଜାଣିବା ପରେ ଫିଙ୍ଗି ଦେଇପାରିେବ।
ସୌଜନ୍ୟ ସମ୍ବାଦ




