Age lost, love won: ବୟସ ହାରିଲା ପ୍ରେମ ଜିତିଲା
ଯେଉଁ ବୟସରେ ମଣିଷ ଅତୀତର ସ୍ମୃତିକୁ ସାଥୀ କରି ବାକି ଜୀବନ କାଟିବାକୁ ଭାବେ, ସେହି ବୟସରେ ଦୁଇଟି ନିଃସଙ୍ଗ ହୃଦୟ ପରସ୍ପରର ହାତ ଧରିଛନ୍ତି। ଜଣେ ୭୫ ବର୍ଷର ବର, ଆଉ ଜଣେ ୬୩ ବର୍ଷର କନ୍ୟା।

ଯେଉଁ ବୟସରେ ମଣିଷ ଅତୀତର ସ୍ମୃତିକୁ ସାଥୀ କରି ବାକି ଜୀବନ କାଟିବାକୁ ଭାବେ, ସେହି ବୟସରେ ଦୁଇଟି ନିଃସଙ୍ଗ ହୃଦୟ ପରସ୍ପରର ହାତ ଧରିଛନ୍ତି। ଜଣେ ୭୫ ବର୍ଷର ବର, ଆଉ ଜଣେ ୬୩ ବର୍ଷର କନ୍ୟା। ଜୀବନର ଅପରାହ୍ଣରେ ପରସ୍ପରକୁ ଜୀବନସାଥୀ ଭାବେ ବାଛି ଆରମ୍ଭ କରିଛନ୍ତି ନୂଆ ଅଧ୍ୟାୟ। ହିମାଚଳ ପ୍ରଦେଶର ଏକ ବୃଦ୍ଧାଶ୍ରମରୁ ସାମ୍ନାକୁ ଆସିଥିବା ଏହି ନିଆରା ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ।
ହିମାଚଳ ପ୍ରଦେଶର ବିଲାସପୁର ଜିଲ୍ଲା ଦୟୋଲିସ୍ଥିତ ‘ଆପ୍ନା ଘର୍’ ବୃଦ୍ଧାଶ୍ରମରେ ୭୫ ବର୍ଷୀୟ କହ୍ନେୟାଲାଲ୍ ଓ ୬୩ ବର୍ଷୀୟା ସବିନାଙ୍କ ବିବାହ ସମ୍ପନ୍ନ ହୋଇଛି। ୨୦୨୬ ନଭେମ୍ବର୍ ୨୫ରେ ପାରମ୍ପରିକ ରୀତିନୀତିରେ ଦୁହେଁ ପରସ୍ପରକୁ ଜୀବନସାଥୀ ଭାବେ ବାଛିଛନ୍ତି। ମଣ୍ଡି ଜିଲ୍ଲାର ଜଞ୍ଜେହଲି ଅଞ୍ଚଳର ବାସିନ୍ଦା କହ୍ନେୟାଲାଲ୍ ପୂର୍ବରୁ ନିର୍ମାଣ ବିଭାଗ (ପିଡବ୍ଲୁଡି)ରେ କାର୍ଯ୍ୟ କରୁଥିଲେ। ୨୦୦୦ ମସିହାରେ ଅବସର ପରେ ପତ୍ନୀଙ୍କ ମୃତ୍ୟୁ ଓ ସନ୍ତାନ ନଥିବାରୁ ସେ ଏକାକୀ ହୋଇପଡ଼ିଥିଲେ। ନିଜର ପ୍ରାୟ ଅଢ଼େଇ ଏକର ଜମି ଓ ଘର ଭାଇମାନଙ୍କ ନାମରେ କରିଦେବା ପରେ ବି ତାଙ୍କୁ ଆଶ୍ରୟ ମିଳିନଥିଲା। ଶେଷରେ ସେ ଜଙ୍ଗଲର ଏକ ଗୁମ୍ଫାରେ ରହୁଥିଲେ।
୨୦୨୨ରେ ଆଇନଜୀବୀ ପ୍ରକାଶଚନ୍ଦ ବଂଶଲଙ୍କ ଟିମ୍ ତାଙ୍କୁ ବୃଦ୍ଧାଶ୍ରମ ‘ଆପ୍ନା ଘର୍’କୁ ଆଣିଥିଲେ। ଅନ୍ୟପଟେ, କୋଲକାତାର ବାସିନ୍ଦା ସବିନା ଯାତ୍ରା ସମୟରେ ପରିବାରଠାରୁ ଅଲଗା ହୋଇ ଶିମଲା ନିକଟରେ ପହଞ୍ଚିଥିଲେ। ପୁଲିସ୍ ତାଙ୍କୁ ମଶୋବରାସ୍ଥିତ ନାରୀ ନିକେତନକୁ ପଠାଇଥିଲା। ୨୦୨୫ରେ ସେ ‘ଆପ୍ନା ଘର୍’କୁ ଆସିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପରିଚୟ ବଢ଼ିବା ସହ ଧୀରେ ଧୀରେ ସମ୍ପର୍କ ପ୍ରେମର ରୂପ ନେଇଥିଲା। ବୁଧବାର ପୂର୍ବାହ୍ନରେ ନବଦମ୍ପତି ପରସ୍ପରଙ୍କୁ ବରଣମାଳା ପିନ୍ଧାଇଥିଲେ। ପ୍ରାୟ ୨୦୦ ଅତିଥି ଏହି ଅବସରରେ ଉପସ୍ଥିତ ଥିଲେ। ବିବାହ ପରେ ଦମ୍ପତିଙ୍କୁ ନୂଆ ଠିକଣା ମିଳିବ।
ସୌଜନ୍ୟ ସମ୍ବାଦ




