ରାଜ୍ୟ

College Election : ଛାତ୍ର ସଂସଦ ନିର୍ବାଚନ ପାଇଁ ସରିଲା ପ୍ରଚାର, ଆଜି ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ, ୧୫ରେ ଭୋଟ୍

ଭୁବନେଶ୍ୱର, ୧୪/୧୦ : ସରିଲା ନିର୍ବାଚନୀ ପ୍ରଚାର । ବୁଧବାର ହେବ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ । ଗୁରୁବାର ଭୋଟ ତଥା ମତଦାନ । ମଙ୍ଗଳବାର କ୍ୟାମ୍ପେନ୍‌ର ଶେଷ ଦିନରେ ବିଭିନ୍ନ ସଂଗଠନର ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ହାଇଭୋଲ୍‌ଟେଜ୍‌ ଶୋଭାଯାତ୍ରା କରିଛନ୍ତି । କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନ କରି କିଏ ଏସ୍‌ୟୁଭି କାର ତ ଆଉ କିଏ ଥର ଗାଡ଼ି, ଖୋଲା ଜିପ୍‌ରେ ପ୍ରଚାର କରିଛନ୍ତି ।  କ୍ୟାମ୍ପସ ପୋଷ୍ଟର, ବ୍ୟାନରରେ ପୋତି ହୋଇଗଲାଣି ।

ବୁଧବାର ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ହଷ୍ଟେଲ ଉପରେ ନଜର । ହଷ୍ଟେଲ ଭୋଟ ଯଦି ହାତରୁ ଖସିବ ନା ସରିଲା କଥା । ତେଣୁ ଏହି ଭୋଟ ବ୍ୟାଙ୍କ୍‌କୁ ଜାବୁଡ଼ି ରଖିବା ପାଇଁ ସଂଗଠନର ପୁରୁଖା ନେତାମାନେ ମାର୍ଗ ଦର୍ଶାଉଛନ୍ତି । ଏମିତିକି ଏବେଠୁ ଟଙ୍କା, ଆକର୍ଷଣୀୟ ଉପହାର ହଷ୍ଟେଲରେ ପହଞ୍ଚିଯାଉଛି । ବିରିୟାନୀ ପ୍ୟାକେଟ୍‌ରେ ଜରିରେ ଭର୍ତ୍ତି କରି ୫୦୦ ଟଙ୍କା ଲେଖାଏଁ ପିଲାଙ୍କୁ ବଣ୍ଟନ ହେଉଥିବାର ଅଭିଯୋଗ ମଧ୍ୟ ଆସିଛି । ଗତକାଲି ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀମାନେ ନିଜର ଦମ୍‌ ଦେଖାଇଛନ୍ତି । ଉତ୍କଳଠୁ କମଳା ନେହରୁ ଯାଏ ସବୁଠି ଦେଖିବାକୁ ମିଳିଥିବା ଦାମୀ ଗାଡ଼ିରେ ପ୍ରଚାର । ଉତ୍କଳ ବିଶ୍ୱବିଦ୍ୟାଳୟରେ ଖୋଲା ଜିପ୍‌ରେ ପ୍ରାର୍ଥୀ ପଛକୁ ୫୦ରୁ ଅଧିକ ଦାମୀ ଏସ୍‌ୟୁଭି ଗାଡ଼ିରେ ସମର୍ଥକଙ୍କୁ ନେଇ କ୍ୟାମ୍ପସ ସାରା ସବୁ ବିଭାଗଠୁ ଆରମ୍ଭ କରି ହଷ୍ଟେଲ ବୁଲି ପ୍ରଚାର କରିଥିଲେ । ନିଜକୁ ଭୋଟ ଦେବାକୁ ପିଲାଙ୍କୁ ମନାଇଥିଲେ । ସେହିପରି ୟୁନିଟ୍‌-୧ସ୍ଥିତ କମଳା ନେହରୁ ମହିଳା ମହାବିଦ୍ୟାଳୟରେ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଛାତ୍ରୀମାନେ ଭିନ୍‌ଟେଜ୍‌ କାର୍‌ରେ ଶୋଭାଯାତ୍ରା କରିଛନ୍ତି । ଲାଗୁଥିଲା ଯେପରି ସେମାନେ କୌଣସି ଏକ ବଡ଼ ରାଜନୈତିକ ଦଳର ଶୋଭାଯାତ୍ରା କରୁଛନ୍ତି ।

କ୍ୟାମ୍ପସରେ ହାଣ୍ଡି ଦିନ ରାତି ବସୁଛି । ଭୋଜି ଭାତରେ ଭାସୁଛି । ଆଜି ପୁଣି ନିର୍ବାଚନର ପୂର୍ବ ଦିନ । ତେଣୁ କ୍ୟାମ୍ପସରେ କିଏ କେତେ ପ୍ରକାରର ଖାଇବା ଦେଇ ପିଲାଙ୍କୁ ନିଜ ଆଡ଼କୁ ମନାଇବ ତାକୁ ନେଇ ଏବେଠୁ ବରାଦ ଦିଆଚାଲିଛି । କିଏ ଚିକେନ୍‌ ତ ଆଉ କିଏ ମଟନ୍‌ କରିବାକୁ ମନସ୍ଥ କରିଛନ୍ତି । ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ପାଇଁ ଶୋଭାଯାତ୍ରାରେ ପ୍ରାର୍ଥୀମାନେ ଯିବେ । ସେଠାରୁ ସରିବା ପରେ ଆୟୋଜନ ହୋଇଥିବା ଭୋଜି ସ୍ଥଳକୁ ସମର୍ଥକମାନେ ଯିବେ । ସେଠାରେ ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖିବା ସହ ଭୋଟ ଦେବାକୁ ଶେଷ ନିବେଦନ କରିବେ ।  ନିର୍ବାଚନ ଦିନ ସକାଳୁ ସମସ୍ତ ଭୋଟରଙ୍କ ରୁମ୍‌ ସମ୍ମୁଖରେ କିପରି ଗୁଡ୍‌ ମର୍ଣ୍ଣିଂ କାର୍ଡ ସହ ଗୋଲାପ ଫୁଲ ପଡି଼ବ ତାକୁ ନେଇ ବିଭିନ୍ନ ସମର୍ଥକଙ୍କୁ ଦାୟିତ୍ୱ ବଣ୍ଟନ ଚାଲିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button