Illegal Liquor Trade : ବ୍ରାହ୍ମଣୀ ନଦୀର ମାଛଧରା ଡଙ୍ଗାରେ ଚାଲିଛି ଚୋରା ମଦ କାରବାର, ଜାଣି ଅଜଣା ପୁଲିସ ଓ ଅବକାରୀ ବିଭାଗ

ଢେଙ୍କାନାଳ/ନିମବାହାଳି, ୧୪/୧୦ : ମଦ ମାଫିଆଙ୍କ ନୂଆ କୌଶଳ । ବ୍ରାହ୍ମଣୀ ନଦୀର ମାଛଧରା ଡଙ୍ଗାରେ ଚଳାଇଛନ୍ତି ଚୋରା ମଦ କାରବାର । ଏକାଧିକ ଘାଟ ଏବେ ମାଫିଆଙ୍କ କବ୍ଜାରେ ରହିଛି । ମାଛ ଧରା ଆଳରେ ଖୁଲମଖୁଲା ଦିନ ରାତି ପରଜଙ୍ଗ ଅଞ୍ଚଳରୁ ଡଙ୍ଗାରେ ଦେଶୀ ମଦ ଆଣି ଗାଁ ଗାଁରେ ବିକ୍ରି କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ର ଏକାଧିକ ଘାଟରେ ଏଭଳି ଚୋରା ମଦ କାରବାର ଚାଲିଛି । ଅବକାରୀ ବିଭାଗ ଓ ପୁଲିସ୍ ଏହା ଜାଣି ମଧ୍ୟ ଅଜଣା ହୋଇ ରହୁଥିବା ଅଭିଯୋଗ ଉଠିଛି । ଫଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି ।
ବ୍ରାହ୍ମଣୀ ନଦୀ ଢେଙ୍କାନାଳ ଜିଲ୍ଲାର ଜୀବନ ରେଖା । ଏକାଧିକ ମତ୍ସ୍ୟଜୀବୀ ପରିବାର ଏହା ଉପରେ ନିର୍ଭର କରିଥାନ୍ତି । ମାଛ ଧରି ପରିବାର ପ୍ରତିପୋଷଣ କରିଥାନ୍ତି । ଏଥିସହ କେତେକ ଘାଟରେ ଯାତ୍ରୀବାହୀ ଡଙ୍ଗା ଲୋକଙ୍କ ଯାତାୟାତ କରିଥାନ୍ତି । ଦୁଇ ପାର୍ଶ୍ୱ ପଞ୍ଚାୟତ ମଧ୍ୟରେ ବାଦବିବାଦ ଯୋଗୁଁ ଏକାଧିକ ଘାଟ ନିଲାମ୍ ବନ୍ଦ ରହିଛି । ସେଠାରେ ବଧିବଦ୍ଧଭାବେ ଡଙ୍ଗା ପଡ଼ୁନଥିବା ବେଳେ ଏହି ଘାଟ ଗୁଡ଼ିକ ଏବେ ଚୋରା ମଦ ବେପାରୀଙ୍କ କବ୍ଜାରେ ରହିଛି । ରାସ୍ତାରେ ଗାଡ଼ିରେ ମଦ ନେଇ ଗଲାବେଳେ ଧରାପଡୁ଼ଥିବାରୁ ଜଳପଥକୁ ସୁରକ୍ଷିତ ରାସ୍ତା ଭାବେ ବାଛିଛନ୍ତି ମଦମାଫିଆ । ଡଙ୍ଗା ଦ୍ୱାରା ବ୍ରାହ୍ମଣୀ ନଦୀରେ ମଦ କାରବାର ଚଳାଇଛନ୍ତି । ଓଡ଼ାପଡ଼ା ବ୍ଲକ୍ର କମଳାଙ୍ଗ ଘାଟ ଠାରୁ ମାନପୁର, ମଙ୍ଗଳପୁର, କୁଶୁପଙ୍ଗା, ଖଡ଼ଗପ୍ରସାଦ, ସୁରଭି, ବିଡ଼ୋ, ମାଳିବିଡ଼ା, ମୁଣ୍ଡା, ଧଳପୁର, ନାଧରା, ଏକଘରିଆ ଓ ଗୁଣଦେଇ ଆଦି ନଦୀ ଘାଟ ଦେଇ ନିୟମିତ ମଦ କାରବାର ହେଉଛି । ପରଜଙ୍ଗ ଅଞ୍ଚଳରୁ ନକଲି ବିଦେଶୀ ଓ ଚୋରା ଦେଶୀମଦ ଚାଲାଣ ହେଉଛି । ବ୍ଲାଡର୍ ଓ ଜାରକିନ୍ରେ ଦେଶୀମଦ ଭର୍ତ୍ତି ଡଙ୍ଗାରେ ଲଦି ବିଭିନ୍ନ ଅଞ୍ଚଳକୁ ପଠାଯାଉଛି । ନିର୍ଦ୍ଧାରିତ ଘାଟରେ ମଦ ପହଞ୍ଚିବା ପରେ ସେଠାରୁ ବେପାରୀମାନେ ଆସି ନେଇ ଯାଉଛନ୍ତି । ଯାହା ଗାଁ ଗାଁରେ ବିକ୍ରି ହେଉଛି । ଡଙ୍ଗା ଚାଳକ କିମ୍ବା ଅନ୍ୟକେହି ବିରୋଧ କଲେ, ବିଭିନ୍ନ ମିଛ ମାମଲାରେ ଫସାଇ ଦେବାକୁ ଧମକ ଚମକ ଦିଆଯାଉଛି । ଏପରିକି ଡଙ୍ଗାକୁ ହାଣି ଦିଆଯିବା ଓ ଡିନାମାଇଟ୍ ଲଗାଇ ଉଡ଼ାଇ ଦିଆଯିବା ଧମକ ମିଳୁଛି । ମଦ ପରିବହନକୁ ବିରୋଧ କରିବାରୁ ପୂର୍ବରୁ ଡିନାମାଇଟ୍ ଲଗାଇ ଡଙ୍ଗା ଉଡ଼ାଇ ଦିଆଯାଇଥିବା ନଜିର ମଧ୍ୟ ରହିଛି । ଡଙ୍ଗାକୁ ଭରସା କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ବାଧ୍ୟ ହୋଇ ମଦ ପରିବହନ କରୁଥିବା ଜଣାଯାଇଛି ।
ସୌଜନ୍ୟ ପ୍ରମେୟ




