ଦୁର୍ଘଟଣା ରୋକିବାକୁ ଧର୍ମେନ୍ଦ୍ରଙ୍କ ବଡ଼ ପଦକ୍ଷେପ, ଦେବଗଡ଼ ଆମ୍ବେଦକର ଛକରେ ଫ୍ଲାଏଓଭର୍ ପାଇଁ ଗଡ଼କରୀଙ୍କୁ ଚିଠି

ଦେବଗଡ଼, ୧୪।୧୦: ଦେବଗଡ଼ ଜିଲ୍ଲାରେ ସଡ଼କ ଭିତ୍ତିଭୂମିର ବିକାଶ ଓ ସୁରକ୍ଷା ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି । ସମ୍ବଲପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ବୃଦ୍ଧି ପାଉଥିବା ଯାନବାହାନ ଚଳାଚଳ, ଜନଗହଳି ଏବଂ ସଡ଼କ ଦୁର୍ଘଟଣା ଆଶଙ୍କାର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ଏହି ଜାତୀୟ ରାଜପଥରେ ଆନ୍ତଃରାଜ୍ୟ ପଣ୍ୟବାହୀ ଏବଂ ଟ୍ରାଫିକ ଚଳାଚଳ ସହିତ ସ୍ଥାନୀୟ ଜନସାଧାରଣଙ୍କ ଯାତାୟାତ ହେଉଥିବା କାରଣରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି । ଦେବଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁରକ୍ଷା ଏବଂ ସୁଗମ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ଶ୍ରୀ ପ୍ରଧାନ ତିନୋଟି ପ୍ରମୁଖ ସଂରଚନାଗତ ସମାଧାନ ଦାବି କରିଛନ୍ତି ।
ଦେବଗଡ଼ ବାଇପାସର ଆରମ୍ଭରେ ଥିବା ଆମ୍ବେଦକର ଛକ ନିକଟ ୱାଇ-ଜଙ୍କସନ୍ ଠାରେ ଏନଏଚ-୪୯ର ଦ୍ରୁତଗାମୀ ଯାନବାହାନ ଚଳାଚଳ କରୁଛି । ଏଠାରେ କଲେକ୍ଟରେଟ୍, ନିଉ ବସ୍ ଷ୍ଟାଣ୍ଡ ଓ ଓମେନ୍ କଲେଜ ଭଳି ପ୍ରମୁଖ ଅନୁଷ୍ଠାନ ଥିବାରୁ ଏଠାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିରନ୍ତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଏଠାରେ ଦୁର୍ଘଟଣା ଏବଂ ସୁରକ୍ଷା ବିପଦକୁ ଏଡ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ରୋଡ୍ ଏବଂ ଉପଯୁକ୍ତ ହାଇୱେ ଲାଇଟିଂ ବ୍ୟବସ୍ଥା ସହିତ ଏକ ଏଲିଭେଟେଡ୍ ଫ୍ଲାଏଓଭର୍ ନିର୍ମାଣ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ସେହିପରି ସହରର ସୀମା ନିକଟରେ ରାଜ୍ୟ ରାଜପଥ ତଥା ଦେବଗଡ଼-ଅନୁଗୋଳ ରୋଡ୍ ଦେଇ ଯାଇଥିବା ରାଜ୍ୟ ରାଜପଥ -୨୧ ଏବଂ ଜାତୀୟ ରାଜପଥ -୪୯ ଏକାଠି ହୋଇଥିବା ବିର୍ସାମୁଣ୍ଡା ଛକରେ ଦ୍ରୁତଗାମୀ ଗାଡ଼ି ସହ ସ୍ଥାନୀୟ ଯାନବାହନ ମୁହାଁମୁହିଁ ହେଉଥିବାରୁ ଗୁରୁତର ଦୁର୍ଘଟଣା ଘଟୁଛି । ଏହି ଅବସ୍ଥା ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଛି । ଏହି ବିପଦପୂର୍ଣ୍ଣ ସଂଘର୍ଷ ପଏଣ୍ଟଗୁଡ଼ିକୁ ଦୂର କରିବା ପାଇଁ ଏନ୍.ଏଚ୍.-୪୯ରେ ସୁସଂଗଠିତ ସ୍ଲିପ୍ ରୋଡ୍ ଏବଂ ଏକ ଯାନବାହନ ଚଳାଚଳ ଉପଯୋଗୀ ଅଣ୍ଡରପାସ୍ ନିର୍ମାଣ କରାଯିବା ଆବଶ୍ୟକ ।
ସୌଜନ୍ୟ ପ୍ରମେୟ




