Lower PMG : ନୂଆଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ମନା, ଲୋୟର ପିଏମ୍ଜିରେ କେବେ ? କଲବଲ କରୁଛି ଟ୍ରାଫିକ୍ ଯନ୍ତ୍ରଣା

ଭୁବନେଶ୍ୱର, ୧୪/୧୦ : ୨୦୧୯ ଜାନୁଆରୀ ୨୯ର ଘଟଣା । ସତ୍ୟନଗର ରାଜକୁମାର ବସ୍ତିରେ ଟ୍ରକ ମାଲିକ ଦୀପକ ବିଶୋୟୀଙ୍କ ଦେଢବର୍ଷର ଝିଅ ସୁହାନି ସିମେଣ୍ଟ ପାଣିକୁଣ୍ଡରେ ପଡି଼ ଯାଇଥିଲା । ତାକୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନେବାବେଳେ ଆମ୍ବୁଲାନ୍ସଟି ମାଷ୍ଟରକ୍ୟାଣ୍ଟିନର ଟ୍ରାଫିକ ଜାମରେ ଫସିଗଲା । ଆଉ ଅଧାରାସ୍ତାରେ ନିଷ୍ପାପ ଶିଶୁକନ୍ୟାଟି ପ୍ରାଣ ହରାଇଲା । ଟ୍ରାଫିକ୍ ଜାମର ମୁଖ୍ୟ କାରଣ ଥିଲା, ଲୋୟର ପିଏମଜିରେ ହଜାର ହଜାର ଆନ୍ଦୋଳନକାରୀଙ୍କ ମେଳି । ସେଦିନ ଅଧ ଡଜନେ ସଂଗଠନର ଆନ୍ଦୋଳନ ପାଇଁ ୫ ଘଣ୍ଟା ଚକାଜାମ୍ ହୋଇଥିଲା ଜନପଥ ।
କେବଳ ସେହି ଗୋଟିଏ ଦିନ ନୁହେଁ, ରାଜଧାନୀବାସୀଙ୍କ ପାଇଁ ଅନେକଥର କାଳ ପାଲଟିଛି ଲୋୟର ପିଏମ୍ଜି । ହଜାର ହଜାର ଆନ୍ଦୋଳକାରୀ ମାସ ମାସ ଧରି ସେଠାରେ ଧାରଣା ଓ ବିକ୍ଷୋଭ କରୁଛନ୍ତି । କେବେ ଦିନରେ ବିକ୍ଷୋଭ କରୁଛନ୍ତି, କେବେ ରାତିରେ ରାଜରାସ୍ତାରେ ଶୋଉଛନ୍ତି । ଆଉ କଲବଲ ହେଉଛନ୍ତି ଆଖପାଖ ଅଞ୍ଚଳ ବାସିନ୍ଦା । ଅଟକିଯାଉଛି ସାଧାରଣ ଜନତାଙ୍କ ଜୀବନଯାତ୍ରା । ନୂଆଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନକୁ ମନା ପରେ ଏବେ ଲୋୟର ପିଏମଜିରୁ ଧାରଣାସ୍ଥଳକୁ ସ୍ଥାନାନ୍ତର ପାଇଁ ଦାବି ତେଜିଛି ।
ସୌଜନ୍ୟ ପ୍ରମେୟ




