Boat capsizes: ମଝି ନଈରେ ଓଲଟିଲା ଡଙ୍ଗା; ଚାଲିଗଲା ୧୩ ଜୀବନ, ଭୋଜି ଖାଇବାକୁ ଯାଇଥିଲେ

ପାଟନା,୧୪/୧୦; ହୃଦୟ ବିଦାରକ ଘଟଣା । ଭୋଜି ଖାଇବାକୁ ଘରୁ ଗଲେ । ଆଉ ଫେରିଲେନି । ଡଙ୍ଗା ବୁଡିରେ ଚାଲିଗଲା ଜୀବନ । ବିହାରର ହାଜିପୁରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ିଯିବା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ତେଜସ୍ୱୀ ଯାଦବଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଘୋପୁର (ବୈଶାଳୀ) ଥାନା ଅଞ୍ଚଳର ରାମପୁର ଶ୍ୟାମଚନ୍ଦ ଗ୍ରାମ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଡଙ୍ଗାରେ ପ୍ରାୟ ୨୦ ଜଣ ଲୋକ ଥିଲେ । ସେମାନେ ଏକ ଭୋଜିରେ ସାମିଲ ହେବାକୁ ଯାଉଥିଲେ । କିନ୍ତୁ ମଝି ନଈରେ ଡଙ୍ଗାଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକମାନେ ଏହା ଦେଖି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । କେବଳ ୫ ଜଣଙ୍କୁ ସେମାନେ ଉଦ୍ଧାର କରିପାରିଥିଲେ । ୧୩ ଜଣ ବୁଡ଼ିଯାଇଥିଲେ । ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟ ୨ ଦୁଇ ଜଣଙ୍କୁ ଖୋଜି ଖୋଜି ଜାରି ରହିଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ଲାଗି ସରକାରୀ ହସ୍ପିଟାଲ ପଠାଯାଇଥିଲା । ତେବେ ଏହି ଘଟଣା ପରେ ନଦୀ ଯାତ୍ରାରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ନିର୍ବାଚନମଣ୍ଡଳୀ ରାଘୋପୁରରେ ଏହି ଦୁଃଖଦ ଘଟଣା ଘଟିଛି । ଯେଉଁଥିରେ ଅକାଳରେ ୧୩ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ଥିଲେ । ଡଙ୍ଗାରେ ପ୍ରାୟ ୨୦ରୁ ୨୫ ଜଣ ଭୋଜି ଖାଇବାକୁ ଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କାର୍ଯ୍ୟକର୍ତ୍ତା ସଭାପତି ତେଜସ୍ୱୀ ଯାଦବ ସ୍ଥାନୀୟ ଲୋକ ଏବଂ ଅଧିକାରୀଙ୍କ ସହ ଫୋନରେ କଥା ହୋଇଥିଲେ । ପ୍ରଶାସନ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଅଧିକାରଙ୍କୁ ଉପଯୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ ଏକ ବିବୃତ୍ତି ଜାରି କରିଛନ୍ତି । ବୈଶାଳୀର ରାଘୋପୁରରେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ ନିରୀହ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟବିଦାରକ । ଏହି କଠିନ ସମୟରେ ମୋର ଗଭୀର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ । ସେହିପରି ରାଘୋପୁର ବିଧାୟକ ତେଜସ୍ୱୀ ଯାଦବ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । କିଛି ପିଲା ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଫେରୁଥିବାବେଳେ ତାଙ୍କ ଡଙ୍ଗା ବୁଡ଼ି ଯାଇଛି ଏହା ଦୁଃଖଦାୟକ ବୋଲି କହିଛନ୍ତି ତେଜସ୍ୱୀ । ବର୍ତ୍ତମାନ ତେଜସ୍ୱୀ ଯାଦବ ଦିଲ୍ଲୀରେ ଅଛନ୍ତି । ସେ ଫେରିବା ମାତ୍ରେ ରାଘୋପୁର ଗସ୍ତ କରିବେ ବୋଲି କହିଛନ୍ତି ।
ସୌଜନ୍ୟ ପ୍ରମେୟ




