IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି
କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ପକ୍ଷରୁ ଇଣ୍ଡିଆସ୍କିଲ୍ସ ପ୍ରତିଯୋଗିତା ୨୦୨୬-୨୭ ପାଇଁ ପଞ୍ଜୀକରଣ ଅବଧିକୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଅନୁଷ୍ଠାନ ଓ ଆଗ୍ରହୀ ପ୍ରତିଯୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ...

ନୂଆଦିଲ୍ଲୀ: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ପକ୍ଷରୁ ଇଣ୍ଡିଆସ୍କିଲ୍ସ ପ୍ରତିଯୋଗିତା ୨୦୨୬-୨୭ ପାଇଁ ପଞ୍ଜୀକରଣ ଅବଧିକୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଅନୁଷ୍ଠାନ ଓ ଆଗ୍ରହୀ ପ୍ରତିଯୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ୱାର୍ଲ୍ଡସ୍କିଲ୍ସ ପ୍ରତିଯୋଗିତା ସାଂଘାଇ ୨୦୨୬ରେ ଭାରତୀୟ ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଏହି ଦକ୍ଷତାଭିତ୍ତିକ ପ୍ରତିଯୋଗିତା ପ୍ରତି ଆଗ୍ରହ ବଢ଼ିଛି। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ବିଶ୍ୱସ୍ତରରେ ଦଶମ ସ୍ଥାନ ହାସଲ କରିବା ସହ ୬ଟି ରୌପ୍ୟ ପଦକ ଏବଂ ୨୦ଟି ଉତ୍କର୍ଷତା ପଦକ ଜିତିଥିଲା।
ଏହି ସଫଳତା ପରେ ଅକ୍ଟୋବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ୱାର୍ଲ୍ଡସ୍କିଲ୍ସ ସାଂଘାଇ ୨୦୨୬ରେ ଭାଗ ନେଇଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ଭେଟିଥିଲେ। ଏହି ଆଲୋଚନାରେ ଦେଶର ଦକ୍ଷ ଯୁବପିଢ଼ିଙ୍କ ସଫଳତାକୁ ପ୍ରଶଂସା କରାଯିବା ସହ ଜାତୀୟ ବିକାଶରେ ବୃତ୍ତିଗତ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ପରେ ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପାଇଁ ପଞ୍ଜୀକରଣ ଅବଧି ବଢ଼ାଇବାକୁ ବିଭିନ୍ନ ଅନୁଷ୍ଠାନ ଓ ଆଗ୍ରହୀ ପ୍ରତିଯୋଗୀଙ୍କ ପକ୍ଷରୁ ମନ୍ତ୍ରଣାଳୟ ନିକଟରେ ଅନେକ ଅନୁରୋଧ ପହଞ୍ଚିଥିଲା। ଏହାକୁ ବିଚାରକୁ ନେଇ ପଞ୍ଜୀକରଣର ଶେଷ ତାରିଖ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବଢ଼ାଯାଇଛି। ଏହା ଦ୍ୱାରା ଅଧିକ ସଂଖ୍ୟକ ଯୁବକଯୁବତୀ ନିଜ ଦକ୍ଷତା ପ୍ରଦର୍ଶନ, ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରିବେ।
ସୌଜନ୍ୟ ସମ୍ବାଦ




