ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଲଦାଖରେ ପ୍ରାୟ ୩,୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ଟି ପ୍ରମୁଖ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଶକ୍ତି ଭିତ୍ତିଭୂମିର ବିକାଶ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଜଳ ସୁରକ୍ଷା ବୃଦ୍ଧିରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ ଲେହସ୍ଥିତ କୁଶୋକ ବକୁଲା ରିମ୍ପୋଚେ ବିମାନବନ୍ଦରରେ ୬୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଯାତ୍ରୀ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। ୨୩,୮୦୦ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଆଧୁନିକ ଟର୍ମିନାଲ୍ରେ ବାର୍ଷିକ ୩୫ ଲକ୍ଷ ଯାତ୍ରୀଙ୍କ ଯାତାୟାତ ପରିଚାଳନା କରିବାର କ୍ଷମତା ରହିଛି। ଶକ୍ତି ଦକ୍ଷତା ବୃଦ୍ଧି ଓ ଅଙ୍ଗାରକ ନିର୍ଗମନ ହ୍ରାସ ପାଇଁ ଏଥିରେ ଭୂତାପୀୟ ଶକ୍ତିର ବ୍ୟବହାର କରାଯାଇଛି। ଲଦାଖର ପରିବେଶଗତ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ଏହା ସ୍ଥାୟୀ ଭିତ୍ତିଭୂମି ବିକାଶର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆଧୁନିକ ଯାତ୍ରୀ ସୁବିଧା ସହ ଲଦାଖର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକକୁ ଏହି ଟର୍ମିନାଲ୍ରେ ସାମିଲ କରାଯାଇଛି। ଏହାଦ୍ୱାରା ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇବା ସହ ଦେଶର ଅନ୍ୟ ଅଞ୍ଚଳ ସହ ଲଦାଖର ବିମାନ ସଂଯୋଗ ଅଧିକ ସୁଦୃଢ଼ ହେବ।
ନିମୁ-ପଦୁମ-ଦର୍ଚା ସଡ଼କ ଲୋକାର୍ପଣ
ଏହାସହ ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ (ବିଆର୍ଓ) ଦ୍ୱାରା ନିର୍ମିତ ୨୯୮ କିଲୋମିଟର ଦୀର୍ଘ ନିମୁ-ପଦୁମ-ଦର୍ଚା ସଡ଼କକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହି ସଡ଼କ ଲେହର ନିମୁକୁ ହିମାଚଳ ପ୍ରଦେଶର ଦର୍ଚା ସହ ଦୁର୍ଗମ ଜାନ୍ସ୍କାର ଉପତ୍ୟକା ଦେଇ ସଂଯୋଗ କରୁଛି। ଏହା ଲଦାଖକୁ ଏକ ବିକଳ୍ପ ସଡ଼କ ସଂଯୋଗ ପଥ ଯୋଗାଇବା ସହ ଶ୍ରୀନଗର-ଲେହ ଏବଂ ମନାଲି-ଲେହ ରାଜପଥର ପରିପୂରକ ହେବ। ହିମାଳୟର ଦୁର୍ଗମ ଭୂଭାଗ ଏବଂ ଉଚ୍ଚ ପାର୍ବତ୍ୟ ଶିଙ୍କୁନ୍ ଲା ଗିରିପଥ ଦେଇ ନିର୍ମିତ ଏହି ସଡ଼କ ଏକ ଉଲ୍ଲେଖନୀୟ ବୈଷୟିକ ସଫଳତା। ଏହାର ମଧ୍ୟ ବିଶେଷ ରଣନୈତିକ ଗୁରୁତ୍ୱ ରହିଛି। ଏହି ସଡ଼କ ଦ୍ୱାରା ସଶସ୍ତ୍ର ବାହିନୀର ଯାତାୟାତ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବା ସହ ଲଜିଷ୍ଟିକ୍ସ ବ୍ୟବସ୍ଥା ସୁଦୃଢ଼ ହେବ। ଏଥିସହ ଜାନ୍ସ୍କାର ଅଞ୍ଚଳର ବାସିନ୍ଦାମାନେ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ବଜାର ଓ ଅତ୍ୟାବଶ୍ୟକ ସେବା ପାଇବାରେ ଅଧିକ ସୁବିଧା ପାଇବେ।
ସୌଜନ୍ୟ ସମ୍ବାଦ