ରାଜ୍ୟ

ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀରେ ଆଗେଇଲା ଇଡି ତଦନ୍ତ, ପିଏସ୍‌ଆଇଏଲ୍‌ କମ୍ପାନୀର ସମ୍ପୃକ୍ତି ଅନୁମାନ, ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର,୧୫/୧୦: ସବ୍ ଇନ୍ସପେକ୍ଟର ନିଯୁକ୍ତି କେଳେଙ୍କାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ର ତଦନ୍ତ ଦିନକୁ ଦିନ ଅଡୁଆ ସୂତାରେ ଗୁନ୍ଥି ହୋଇଯାଉଛି । ସିଲିକନ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍(ଏସ୍‌ଟିପିଏଲ୍) ଓ ପିଏସ୍ଆଇଏଲ୍ (ପଟ୍ଟନାୟକ ଷ୍ଟିଲ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍)ର ଭିତିରି ବୁଝାମଣାରେ ଇଡି ତଦନ୍ତ ଲଟିକିଛି । ଚାକିରି ପାଇଁ କୋଟି କୋଟି ଟଙ୍କାର ବେଆଇନ୍ ଆର୍ଥିକ କାରବାରରେ ପିଏସ୍ଆଇଏଲ୍ ସଂସ୍ଥାର ସମ୍ପୃକ୍ତି ନେଇ ଖୋଳତାଡ଼ ଚାଲିଛି ।

ଏସ୍‌ପିଟିଏଲର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ଏବଂ ପଞ୍ଚସଫ୍ଟ ଟେକ୍ନୋଲୋଜି’ର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିର ଚାକିରି କେଳେଙ୍କାରୀରେ ସମ୍ପୃକ୍ତିର ଠୋସ୍ ପ୍ରମାଣ ମିଳିଛି । ଏହାଛଡ଼ା ତଦନ୍ତରୁ ଜଣାପଡି଼ଛି ଯେ ୨୦୨୩ ଅଗଷ୍ଟ ୩ରେ ପିଏସ୍ଆଇଏଲ୍’ର ନିର୍ଦ୍ଦେଶକ ସମୀର ରଥ ଓ ତାଙ୍କ ପତ୍ନୀ ଶାଶ୍ୱତୀ ମିଶ୍ର ସିଲିକନ୍ ଟେକ୍ଲ୍ୟାବ୍‌ର ସର୍ବାଧିକ ଅଂଶଧନ ହାସଲ କରିଥିଲେ । ସେୟାର କ୍ରୟ ଚୁକ୍ତିନାମା ଅଧୀନରେ ହୋଇଥିବା ଏହି ଚୁକ୍ତିନାମାକୁ ଦୁଇଟି କମ୍ପାନୀ ପକ୍ଷରୁ କମ୍ପାନୀ ରେଜିଷ୍ଟ୍ରାରଙ୍କ ଠାରେ କେବେବି ଦାଖଲ କରାଯାଇନି ।

ପିଏସ୍ଆଇଏଲ୍‌ର ନିର୍ଦ୍ଦେଶକ ଦ୍ୱୟ ଏସ୍‌ଟିପିଏଲର ଅଂଶଧନ ହାସଲ କରିଥିଲେ ହେଁ ସିଲିକନ ଟେକ୍ଲାବ୍‌ର ନିର୍ଦ୍ଦେଶକ ଶ୍ରୀ ନାୟକ ହିଁ ଏହାର ନିର୍ଦ୍ଦେଶକ ସାଜିଥିଲେ । ସେ ବିନା ଅନୁମତିରେ ଆଇଟିଆଇ ଲିମିଟେଡ୍ ସହ ଏସ୍ଆଇ ପରୀକ୍ଷାର ପରିଚାଳନା ଦାୟିତ୍ୱ ମୁଣ୍ଡାଇଥିଲେ । ଶ୍ରୀ ନାୟକଙ୍କ ଏହି ବେଆଇନ୍ କାର୍ଯ୍ୟକଳାପକୁ ଶ୍ରୀ ରଥ ଏବଂ ତାଙ୍କ ସ୍ତ୍ରୀ ଆଇଟିଆଇ ଲିମିଟେଡ୍କୁ ଜଣାଇ ନଥିଲେ । ଏହି ଭିତିରି ବୁଝାମଣା ଯୋଗୁ ଶ୍ରୀ ନାୟକ ଏସ୍ଆଇ ପରୀକ୍ଷାର ପ୍ରଶ୍ନପତ୍ର ହାତେଇ ନେଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button