ରାଜ୍ୟ

Durga Puja 2026: ‘ଆମର କୀର୍ତ୍ତି, ଆମର ଗୌରବ’ ଥିମ୍‌ରେ ଝଲସିବ ସହିଦନଗର ଦୁର୍ଗାପୂଜା ,୨.୫ କ୍ୱିଣ୍ଟାଲର ଚାନ୍ଦି ମେଢ଼, ୨ କିଲୋର ସୁନା ମୁକୁଟ ଆକର୍ଷଣ

ଭୁବନେଶ୍ୱର,୧୫/୧୦: ଓଡ଼ିଶାର କଳା-ସଂସ୍କୃତିକୁ ଆଧାର କରି ନିର୍ମିତ ବିଶାଳ ତୋରଣରେ ପୂଜା ପାଇବେ ମା’ଦୁର୍ଗା । ‘ଆମର କୀର୍ତ୍ତି, ଆମର ଗୌରବ’ ବିଷୟବସ୍ତୁକୁ ନେଇ ୮୦ଫୁଟ ଉଚ୍ଚ ଓ ୧୨୦ଫୁଟ୍ ପ୍ରସ୍ଥ ତୋରଣ ନିର୍ମାଣ କରୁଛି ସହିଦନଗର ଦୁର୍ଗା ପୂଜା ସମିତି । ଓଡ଼ିଶାର କାରିଗରଙ୍କୁ ନେଇ ‘ମେକ୍ ଇନ୍ ଓଡ଼ିଶା’ ତୋରଣ ଭାବେ ଏହାକୁ ଅଭିହିତ କରାଯାଇଛି । ଏନେଇ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମା’ଙ୍କ ଚାନ୍ଦି ମେଢ଼ର ଓଜନ ପ୍ରାୟ ୨.୫ କ୍ୱିିଣ୍ଟାଲ ଓ ସୁନା ମୁକୁଟର ଓଜନ ପ୍ରାୟ ୨ କିଲୋଗ୍ରାମ ରହିବ ।

ଚଳିତ ବର୍ଷ ମେଢ଼ ଓ ଅଳଙ୍କାରର ଶୋଭାବର୍ଦ୍ଧନ ପାଇଁ ଅତିରିକ୍ତ ୪ କିଲୋଗ୍ରାମ ଚାନ୍ଦି ବ୍ୟବହାର କରାଯାଇଛି । ପାର୍ଶ୍ବ ଦେବଦେବୀଙ୍କ ପାଇଁ ସୁନା ଅଳଙ୍କାର ଓ ମୁକୁଟ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସମିତି ପକ୍ଷରୁ ଅକ୍ଟୋବର ୧୭ରୁ ୨୧ ପର୍ଯ୍ୟନ୍ତ ଦୁର୍ଗାପୂଜା, ୨୫ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜା ଏବଂ ନଭେମ୍ବର ୮ରୁ ୧୮ ପର୍ଯ୍ୟନ୍ତ କାଳୀପୂଜା କରାଯିବ । ଦୁର୍ଗାପୂଜାରେ ପାଞ୍ଚଦିନ ଭଜନ ସମାରୋହ, ଗଜଲକ୍ଷ୍ମୀ ପୂଜାରେ ଛଅଦିନ ପ୍ରବଚନ ଏବଂ କାଳୀପୂଜାରେ ୧୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୧୦୦ରୁ ଅଧିକ ସ୍ୱେଚ୍ଛାସେବୀ ଏବଂ ୫୦ରୁ ଅଧିକ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ ହେବେ ।

ସେମାନଙ୍କ ମଧ୍ୟରେ କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀ ରହିବେ, ଯେଉଁମାନେ ମା’ଙ୍କ ନିକଟରେ ୨୪ ଘଣ୍ଟା ପହରା ଦେବେ । ପ୍ରଥମଥର ପାଇଁ ମଣ୍ଡପରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରଥମଥର ପାଇଁ ଦୁର୍ଗାପୂଜା ସହ ଗଜଲକ୍ଷ୍ମୀ ଓ କାଳୀପୂଜା ଆୟୋଜନ ନିମନ୍ତେ ପଡ଼ିଆ ଭଡ଼ା ଛାଡ଼ କରିଥିବାରୁ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି । ମା’ଙ୍କ ଭସାଣି ଦିନକୁ ଛୁଟି ଘୋଷଣା କରିବାକୁ ସମିତି ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button