India First Quantum Computer: ଭାରତରେ ଖୁବ୍ଶୀଘ୍ର ପ୍ରଥମ କ୍ୱାଣ୍ଟମ୍ କମ୍ପ୍ୟୁଟର, ୨୦୨୭ ଆରମ୍ଭରେ ଆନ୍ଧ୍ରରେ ସ୍ଥାପନ କରିବ ଆଇବିଏମ୍

ନୂଆଦିଲ୍ଲୀ, ୧୫/୧୦: ଆସନ୍ତା ବର୍ଷ ଆରମ୍ଭରେ ଆନ୍ଧ୍ରପ୍ରଦେଶର ଅମରାବତୀଠାରେ ଭାରତର ସର୍ବବୃହତ କ୍ୱାଣ୍ଟମ୍ କମ୍ପ୍ୟୁଟର ସ୍ଥାପନ ଯୋଜନା କରିଛି ଆଇବିଏମ୍ । ଏକ ନୂଆ ଟେକ୍ ପାର୍କରେ ଏହି ମେସିନ୍ ଲାଗିବ । ବାସ୍ତବ ଜୀବନରେ କ୍ୱାଣ୍ଟମ୍ କମ୍ପ୍ୟୁଟିଙ୍ଗର ଉପଯୋଗର ମାର୍ଗ ଅନ୍ୱେଷଣ ଲାଗି ଏହା ଅଧ୍ୟୟନକର୍ତ୍ତା ଓ କମ୍ପାନିଗୁଡ଼ିକୁ ସାହାଯ୍ୟ କରିବ । ଆଇବିଏମ୍ ଇଣ୍ଡିଆ ପ୍ରବନ୍ଧନ ନିର୍ଦ୍ଦେଶକ ସନ୍ଦୀପ ପଟେଲ କହିଛନ୍ତି, ଏଥିନିମନ୍ତେ ସୁବିଧାକେନ୍ଦ୍ର ଆପାତତଃ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ବର୍ଷ ଆରମ୍ଭରେ ମେସିନ୍ ଆସିବ ବୋଲି ଆଶା କରାଯାଉଛି । ଏହି ପ୍ରୋଜେକ୍ଟ ଆନ୍ଧ୍ରପ୍ରଦେଶ କ୍ୱାଣ୍ଟମ୍ ଭ୍ୟାଲି ପ୍ରୟାସର ଅଂଶ, ଯାହାର ବିକାଶରେ ଆନ୍ଧ୍ର ସରକାର ନିବେଶ କରୁଛନ୍ତି । ଆଇବିଏମ୍ ସହିତ ଟାଟା କନ୍ସଲ୍ଟାନ୍ସି ସର୍ଭିସ୍ ଏଥିରେ କାମ କରୁଛି ।
କ୍ୱାଣ୍ଟମ କମ୍ପ୍ୟୁଟର ସୁପର୍କମ୍ପ୍ୟୁଟରଠୁ କେମିତି ଭିନ୍ନ?
ସୁପର୍କମ୍ପ୍ୟୁଟର ଅତ୍ୟନ୍ତ ଶକ୍ତିଶାଳୀ କମ୍ପ୍ୟୁଟର, ଯାହା ବ୍ୟାପକ ପରିମାଣର ତଥ୍ୟ ପ୍ରକ୍ରିୟାକରଣ ସହିତ ଜଟିଳ ଗଣନା କରିପାରେ । ପାଣିପାଗ ପୂର୍ବାନୁମାନ, ମହାକାଶ ଅନୁସନ୍ଧାନ ଓ ଜଳବାୟୁ ଅଧ୍ୟୟନ ନିମନ୍ତେ ଏହା ଉପଯୋଗ ହୁଏ । ଏହା ନିୟମିତ କମ୍ପ୍ୟୁଟିଙ୍ଗ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରେ ଏବଂ ସୂଚନାକୁ ୦ କିମ୍ବା ୧ ଭାବେ ଗଚ୍ଛିତ ରଖୁଥିବା ପ୍ରତ୍ୟେକ ବିଟ୍ ସହ କାମ କରେ । କ୍ୱାଣ୍ଟମ୍ କମ୍ପ୍ୟୁଟର ପୃଥକ କାମ କରେ । ଭିନ୍ନ ଉପାୟରେ ନିର୍ଦ୍ଦିଷ୍ଟ ଜଟିଳ ସମସ୍ୟାଗୁଡ଼ିକର ସମାଧାନ ଲାଗି ଏହା କ୍ୱାଣ୍ଟମ୍ ବିଟ୍ର ଉପଯୋଗ କରେ, ଯାହାକୁ କ୍ୟୁବିଟ୍ସ କୁହାଯାଏ । ନୂଆ ଔଷଧ ବିକାଶ, ଉପକରଣଗୁଡ଼ିକର ଆବିଷ୍କାର ଏବଂ ଜଟିଳ ବୈଜ୍ଞାନିକ ସମସ୍ୟାର ସମାଧାନରେ ଏହା କିପରି ସାହାଯ୍ୟ କରିପାରିବ, ବୈଜ୍ଞାନିକମାନେ ଏବେ ଅଧ୍ୟୟନ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




