CJP Protest: ଜନ୍ତରମନ୍ତରରେ CJP ମାର୍ଚ୍ଚକୁ କାହିଁକି ମିଳିଲାନି ଅନୁମତି ? ସୁପ୍ରିମକୋର୍ଟରେ ବଡ଼ ଖୁଲାସା କଲେ ଦିଲ୍ଲୀ ପୁଲିସ କମିଶନର

ନୂଆଦିଲ୍ଲୀ, ୧୫।୧୦: ଦିଲ୍ଲୀର ଜନ୍ତରମନ୍ତରରେ ଅକ୍ଟୋବର ୧୦ରେ ‘ସିଜେପି’ ମାର୍ଚ୍ଚ ପାଇଁ କାହିଁକି ଅନୁମତି ଦିଆଯାଇ ନଥିଲା, ସେନେଇ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଆଇନଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଏହି କଟକଣା ଜରୁରୀ ଥିଲା ବୋଲି ପୁଲିସ କମିଶନର କହିଛନ୍ତି । ପୂର୍ବ ପ୍ରଦର୍ଶନଗୁଡ଼ିକରେ ହୋଇଥିବା ହିଂସା ଏବଂ ସମ୍ପତ୍ତି ନଷ୍ଟକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଗତ ଜୁଲାଇ ୨୦ ତାରିଖରେ NEET-UG ପ୍ରଶ୍ନପତ୍ରଲିକ୍ ପ୍ରସଙ୍ଗରେ CJP ପକ୍ଷରୁ ଅନୁଷ୍ଠିତ ‘ଚାଲୋ ସଂସଦ’ ମାର୍ଚ୍ଚଟି ଏକ ବେଆଇନ ଏବଂ ଅନଧିକୃତ କାର୍ଯ୍ୟ ଥିଲା । ଏହି ସମୟରେ ହୋଇଥିବା ଗଣ୍ଡଗୋଳରେ ୨୪୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ବୋଲି ପୁଲିସ ଭିଡିଓ ଓ ଫଟୋ ପ୍ରମୁଖ ପ୍ରମାଣ ଦର୍ଶାଇଛି ।
ଜୁନ୍ ମାସର ପ୍ରଦର୍ଶନ ପାଇଁ CJP ଲିଖିତ ପ୍ରତିଜ୍ଞା ଦେଇଥିଲା ଯେ, ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତପୂର୍ଣ୍ଣ ରହିବ ଏବଂ ୧,୦୦୦ରୁ ଅଧିକ ଲୋକ ସାମିଲ ହେବେ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ସବୁ ସର୍ତ୍ତକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା । ଅକ୍ଟୋବର ୬, ୭ ଏବଂ ୮ ତାରିଖରେ ହୋଇଥିବା ବିଭିନ୍ନ ବିରୋଧ ପ୍ରଦର୍ଶନ ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଥିଲା । ଏପରିକି ବହୁ ଯାତ୍ରୀ ସେମାନଙ୍କ ଟ୍ରେନ୍ ଏବଂ ଫ୍ଲାଇଟ୍ ମଧ୍ୟ ଧରିପାରି ନଥିଲେ । ଏହି ପ୍ରଦର୍ଶନ ସମୟରେ ମହିଳା ପୁଲିସ ଅଧିକାରୀଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।
ସୌଜନ୍ୟ ପ୍ରମେୟ




