Abhijeet Dipke: ଅଙ୍କିତା ଭଣ୍ଡାରୀଙ୍କ ବାପାମାଆଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ ! ଦୁଷ୍ୟନ୍ତ ଗୌତମଙ୍କୁ ହଟାଇବାକୁ ୨୪ ଘଣ୍ଟାର ଅଲ୍ଟିମେଟମ୍

ନୂଆଦିଲ୍ଲୀ, ୧୫।୧୦: ଅଙ୍କିତା ଭଣ୍ଡାରୀଙ୍କ ବାପାମାଆଙ୍କୁ ରାତି ଅଧରେ ଉଠାଇନେଲା ଦିଲ୍ଲୀ ପୁଲିସ । ବିଜେପି ନେତା ଦୁଷ୍ୟନ୍ତ ଗୌତମଙ୍କୁ ସିକିମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ପରେ ଏହାର ପ୍ରତିବାଦରେ ଅଙ୍କିତା ଭଣ୍ଡାରୀଙ୍କ ମାତାପିତା ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ଧାରଣା ଓ ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ପହଞ୍ଚିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ପ୍ରଦର୍ଶନକାରୀ ଅଙ୍କିତାଙ୍କ ପିତାମାତାଙ୍କୁ ଜବରଦସ୍ତ ଉଠାଇ ନେଇ ଅଟକ ରଖିଥିଲା । ଏହି ଘଟଣାକୁ ନେଇ କକ୍ରୋଚ୍ ଜନତା ପାର୍ଟିର ନେତା ଅଭିଜିତ୍ ଦୀପକେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଭୋର ୪ଟା ସମୟରେ ଦିଲ୍ଲୀ ପୁଲିସ ଅଙ୍କିତାଙ୍କ ପିତାମାତାଙ୍କୁ ଇଣ୍ଡିଆ ଗେଟ୍ରୁ ବଳପୂର୍ବକ ହଟାଇ ଦେଇଥିବା ନେଇ ଏକ ଭିଡିଓ ସେୟାର କରି ଅଭିଜିତ୍ ଦୀପକେ ଲେଖିଛନ୍ତି, “ଏହା ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ହେବା ଉଚିତ୍ ! ଅଙ୍କିତା ଭଣ୍ଡାରୀଙ୍କ ବାପାମାଆ ଏପରି ଅମାନୁଷୀୟ ବ୍ୟବହାରର ଆଦୌ ଯୋଗ୍ୟ ନୁହଁନ୍ତି । ସରକାର ନିଜ ଦେଶର ନାଗରିକମାନଙ୍କ ପ୍ରତି ଏତେ ନିଷ୍ଠୁର କାହିଁକି ହେଉଛନ୍ତି ?”
ଅଙ୍କିତାଙ୍କ ପିତାମାତା ମୁକ୍ତ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ୍:
ପୁଲିସ ଅଙ୍କିତାଙ୍କ ବାପାମାଆଙ୍କୁ ଅଟକ ରଖିବା ପରେ ତିଲକ ନଗର ଥାନାକୁ ନେଇଯାଇଥିଲା । କିଛି ଘଣ୍ଟା ପରେ ସେମାନଙ୍କୁ ଛାଡ଼ିଦିଆଯାଇଥିବା ବେଳେ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି । ଅଙ୍କିତାଙ୍କ ବାପା ସରକାରଙ୍କୁ ସିଧାସଳଖ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି । ଯଦି ଆଗାମୀ ୨୪ ଘଣ୍ଟା ଭିତରେ ଦୁଷ୍ୟନ୍ତ ଗୌତମଙ୍କୁ ରାଜ୍ୟପାଳ ପଦରୁ ଅପସାରଣ କରାନଯାଏ, ତେବେ ଦେଶବ୍ୟାପୀ ଜନସାଧାରଣ ରାଜାକୁ ଓହ୍ଲାଇବେ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସୌଜନ୍ୟ ପ୍ରମେୟ




