ଜାତୀୟ

Actor Imran Khan: CJP ଆନ୍ଦୋଳନରେ ସାମିଲ ହେବା ମହଙ୍ଗା ପଡ଼ିଲା ! ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ଇମ୍ରାନ୍ ଖାନ୍‌ଙ୍କୁ ନୋଟିସ୍

ମୁମ୍ବାଇ, ୧୫।୧୦: ବଲିଉଡ୍ ଅଭିନେତା ଇମ୍ରାନ ଖାନଙ୍କୁ ଆଗାମୀ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍ ଜାରି କରାଯାଇଛି । ମୁମ୍ବାଇ ପୁଲିସ ପକ୍ଷରୁ ତାଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ମୁମ୍ବାଇର ଆଜାଦ୍ କ୍ରାନ୍ତି ମଇଦାନରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଅନୁଷ୍ଠିତ ଏକ ପ୍ରଦର୍ଶନରେ ଇମ୍ରାନ୍ ଖାନ୍ ସାମିଲ ହୋଇଥିଲେ । ମୁମ୍ବାଇ ପୁଲିସ ସେହି ପ୍ରଦର୍ଶନ ସମୟରେ ଇମ୍ରାନ୍ ଖାନ୍‌ଙ୍କୁ ଅଟକ ମଧ୍ୟ ରଖିଥିଲା । ଭାରତୀୟ ନାଗରିକ ନ ହୋଇ ମଧ୍ୟ ଏପରି ଏକ ରାଜନୈତିକ ପ୍ରଦର୍ଶନରେ ସାମିଲ ହେବା ଅଭିଯୋଗରେ ଇମିଗ୍ରେସନ୍ ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ପକ୍ଷରୁ ଜାରି ନୋଟିସ୍‌କୁ ଇମ୍ରାନ୍ ଗ୍ରହଣ କରିସାରିଛନ୍ତି । ଇମ୍ରାନ୍ ଖାନ୍‌ଙ୍କ ପାଖରେ ଭାରତୀୟ ନାଗରିକତ୍ୱ ନାହିଁ, ବରଂ ସେ ଆମେରିକାର ନାଗରିକ ଅଟନ୍ତି । ୧୯୮୩ ଜାନୁଆରୀ ୧୩ ରେ ଆମେରିକାର ବିସ୍କନ୍ସିନ୍ (ମ୍ୟାଡିସନ୍) ରେ ଜନ୍ମଗ୍ରହଣ କରିଥିବା ଇମ୍ରାନଙ୍କ ପାଖରେ ଆମେରିକୀୟ ପାସପୋର୍ଟ ସହିତ ଭାରତର OCI (Overseas Citizen of India) କାର୍ଡ ରହିଛି ।

ବିଜେପି ନେତା କିରିଟ୍ ସୋମେୟାଙ୍କ ବିରୋଧ:

ଭାରତୀୟ ଜନତା ପାର୍ଟିର ନେତା ତଥା ପୂର୍ବତନ ସାଂସଦ କିରିଟ୍ ସୋମେୟା ଏହି ମାମଲାକୁ ନେଇ ଇମ୍ରାନ ଖାନଙ୍କ ଉପରେ ସିଧାସଳଖ ପ୍ରଶ୍ନ ଉଠାଇଥିଲେ । OCI କାର୍ଡଧାରୀ କିମ୍ବା କୌଣସି ବୈଦେଶିକ ନାଗରିକ ଭାରତର ଘରୋଇ ରାଜନୈତିକ କାର୍ଯ୍ୟକଳାପ ଏବଂ ପ୍ରଦର୍ଶନରେ ଭାଗ ନେଇପାରିବେ ନାହିଁ ବୋଲି ସୋମେୟା ଦାବି କରିଥିଲେ ଏବଂ ଏହାର କଡ଼ା ତଦନ୍ତ ଦାବି କରିଥିଲେ । ପୁଲିସ ଦ୍ୱାରା ଅଟକ ହେବା ପୂର୍ବରୁ ଇମ୍ରାନ କହିଥିଲେ, “ମୁଁ ଜଣେ ସାଧାରଣ ନାଗରିକ ଏବଂ ଏହି ସହରର ବାସିନ୍ଦା ଭାବେ ଏଠାକୁ ଆସିଛି । ଲୋକଙ୍କ ଆବାଗମନ ସ୍ୱାଧୀନତାକୁ କାହିଁକି ପ୍ରତିବନ୍ଧିତ କରାଯାଉଛି ଏବଂ ସେମାନଙ୍କ ସ୍ୱରକୁ କାହିଁକି ଦବାଇ ଦିଆଯାଉଛି, ତାହା ଦେଖିବାକୁ ମୁଁ ଆସିଥିଲି ।” ବର୍ତ୍ତମାନ ଏହି ନୋଟିସ୍ ପାଇବା ପରେ ଇମ୍ରାନ୍ ଦେଶ ଛାଡ଼ିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button