Central Government Apology: ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା ! ଇଣ୍ଟରନେଟ୍ ବନ୍ଦ ନେଇ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ, ୧୫।୧୦: ସୁପ୍ରିମକୋର୍ଟର ଅବମାନନା ନୋଟିସ୍ ପରେ କେନ୍ଦ୍ର ସରକାର ଗତକାଲି ବିଳମ୍ବିତ ରାତିରେ ସର୍ବୋଚ୍ଚ ଅଦାଲତରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଜାଣିଶୁଣି ଉଲ୍ଲଂଘନ କରାଯାଇନାହିଁ ବୋଲି କେନ୍ଦ୍ର ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ସ୍ପଷ୍ଟ କରାଯାଇଛି । କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହନ ଅଦାଲତରେ ଦାଖଲ କରିଥିବା ଚାରି ପୃଷ୍ଠାର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ରାୟସୀନା ହିଲ୍ସର ୪ କିଲୋମିଟର ପରିସର ମଧ୍ୟରେ ଅକ୍ଟୋବର ୯ ତାରିଖ ରାତି ୧୦ଟାରୁ ଅକ୍ଟୋବର ୧୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିବା ଅତ୍ୟନ୍ତ ଜରୁରୀ ଥିଲା । ସାଧାରଣ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହା ଏକ ଜରୁରୀ ପଦକ୍ଷେପ ଥିଲା ଏବଂ କୋର୍ଟଙ୍କ ଆଦେଶର ଅବମାନନା କରିବା ପାଇଁ କୌଣସି ଉଦ୍ଦେଶ୍ୟ ରଖାଯାଇ ନଥିଲା ବୋଲି ସେ କହିଛନ୍ତି ।
ଇଣ୍ଟରନେଟ୍ ସେବା ସ୍ଥଗିତ ରଖିବାର ପରିସର କେବଳ ସେଲୁଲାର୍ ଇଣ୍ଟରନେଟ୍ ସେବା ମଧ୍ୟରେ ସୀମିତ ଥିଲା । ଏଥିରେ ୱାଇ-ଫାଇ ଏବଂ ବ୍ରଡ୍ବ୍ୟାଣ୍ଡ ପରି ଅଣ-ସେଲୁଲାର୍ ଇଣ୍ଟରନେଟ୍ ସେବାଗୁଡ଼ିକୁ ବାରଣ କରାଯାଇ ନଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ ଅଛି । ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇନଗତ ସୁରକ୍ଷା ଏବଂ ନିୟମାବଳୀ ମଧ୍ୟରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିବା ନେଇ ଅକ୍ଟୋବର ୧୧ର ଆଦେଶରେ ଆବଶ୍ୟକ ସଂଶୋଧନ କରିବାକୁ ଗୃହ ସଚିବ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।
ସୌଜନ୍ୟ ପ୍ରମେୟ




