Mehbooba: ମହିଳା ଅଧିକାରୀଙ୍କୁ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଦୁର୍ବ୍ୟବହାର, କାର୍ଯ୍ୟାନୁଷ୍ଠାନ ଦାବି କଲେ ମେହବୁବା
ଜମ୍ମୁ-କାଶ୍ମୀରରେ ଜଣେ ମହିଳା ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗରେ ବରିଷ୍ଠ ଆଇଏଏସ୍ ଅଧିକାରୀ କୁମାର ରାଜୀବ ରଞ୍ଜନଙ୍କ ବିରୋଧରେ ୧୫ ଦିନିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁ-କାଶ୍ମୀର ସରକାର।

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜଣେ ମହିଳା ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗରେ ବରିଷ୍ଠ ଆଇଏଏସ୍ ଅଧିକାରୀ କୁମାର ରାଜୀବ ରଞ୍ଜନଙ୍କ ବିରୋଧରେ ୧୫ ଦିନିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁ-କାଶ୍ମୀର ସରକାର। ଏହି ମାମଲାର ଗଭୀର ତଦନ୍ତ କରି ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଦେବାକୁ ତଦନ୍ତ ଅଧିକାରୀଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ସମ୍ପୃକ୍ତ ମହିଳା ଅଧିକାରୀଙ୍କ ବିରୋଧରେ ପ୍ରତିଶୋଧମୂଳକ ପଦକ୍ଷେପ ନ ନେବାକୁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଟୋବର ୧୪ରେ ଶ୍ରୀନଗରସ୍ଥିତ ସିଭିଲ୍ ସଚିବାଳୟରେ ‘ମିସନ୍ ଯୁବା’ର ସମୀକ୍ଷାପାଇଁ ଏକ ଅନ୍ଲାଇନ୍ ବୈଠକ ହୋଇଥିଲା। ଏହାର ଅଧ୍ୟକ୍ଷତା କରୁଥିଲେ ଶ୍ରମ ଓ ନିଯୁକ୍ତି ବିଭାଗର ପ୍ରଶାସନିକ ସଚିବ ତଥା ୨୦୧୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ କୁମାର ରାଜୀବ ରଞ୍ଜନ। ବୈଠକରେ ଗନ୍ଦରବଲ୍ର ନିଯୁକ୍ତି ଓ ପରାମର୍ଶ କେନ୍ଦ୍ରର ସହକାରୀ ନିର୍ଦ୍ଦେଶିକା ବିନିଶ ୱାନି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନିଜ କାର୍ଯ୍ୟାଳୟର ସଫଳତା ଓ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ତଥ୍ୟ ରଖୁଥିଲେ। ଜାତୀୟ ଗ୍ରାମୀଣ ଆଜୀବିକା ମିସନ୍ (ଏନ୍ଆର୍ଏଲ୍ଏମ୍)ର ଭୂମିକାକୁ ନେଇ ରଞ୍ଜନ ଓ ୱାନିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ୱାନି ନିଜ ପକ୍ଷ ରଖିବାକୁ ଚେଷ୍ଟା କରୁଥିବାବେଳେ ରଞ୍ଜନ ତାଙ୍କୁ ବାରମ୍ବାର ଚୁପ୍ ରହିବାକୁ କହିଥିଲେ। ଭାଇରାଲ୍ ହୋଇଥିବା ଭିଡିଓରେ ସେ ମହିଳା ଅଧିକାରୀଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରିବା ସହ ନିଲମ୍ବନ ଆଦେଶ ପ୍ରସ୍ତୁତ କରିବାକୁ ଅନ୍ୟ ଜଣେ ଅଧିକାରୀଙ୍କୁ କହୁଥିବା ଦେଖାଯାଇଛି।
ସୌଜନ୍ୟ ସମ୍ବାଦ




