Parliament: ଚଳିତ ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ!
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରଦ୍ଦ କରିବା ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ସ୍ୱର ତୀବ୍ର ହୋଇଛି।

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରଦ୍ଦ କରିବା ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ସ୍ୱର ତୀବ୍ର ହୋଇଛି। ଏଭଳି ସ୍ଥିତିରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ସରକାର ଚଳିତ ମାସ ଶେଷ ଭାଗରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିପାରନ୍ତି। ଲୋକସଭାରେ ଏହି ବିଲ୍ଗୁଡ଼ିକୁ ପାସ୍ କରାଇବା ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି।
ସୂତ୍ର ଅନୁଯାୟୀ, ସରକାର ନିଜ ପାଖରେ ଆବଶ୍ୟକ ସଂଖ୍ୟା ଥିବା ନେଇ ଆଶ୍ୱସ୍ତ ଅଛନ୍ତି। ପ୍ରସ୍ତାବିତ ଆଇନଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ସେମାନେ ପ୍ରସ୍ତୁତି ଚଳାଇଛନ୍ତି। ଏପରିକି ସମ୍ଭାବ୍ୟ ଭୋଟ୍ ପୂର୍ବରୁ ଅଧିକ ସମର୍ଥନ ଯୋଗାଡ଼ କରିବାକୁ ବିରୋଧୀ ଦଳଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଗତ ଏପ୍ରିଲ ୧୭ ତାରିଖରେ ବଜେଟ୍ ଅଧିବେଶନ ସମୟରେ ମୋଦୀ ସରକାରଙ୍କୁ ଝଟ୍କା ଲାଗିଥିଲା। ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ଜଡ଼ିତ ସାମ୍ବିଧାନିକ ସଂଶୋଧନ ବିଲ୍ ନିମ୍ନ ସଦନରେ ଗୃହୀତ ହୋଇପାରି ନ ଥିଲା। ଏହାପରେ ସରକାର ମୌସୁମୀ ଅଧିବେଶନରେ ବିଲ୍ଗୁଡ଼ିକ ଆଣିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ପରିସ୍ଥିତି ପ୍ରତିକୂଳ ହୋଇଥିଲା। ଅନ୍ୟପକ୍ଷରେ, କକ୍ରୋଚ୍ ଜନତା ପାର୍ଟିର ବିକ୍ଷୋଭ ଓ ଏସ୍ଆଇଆର୍କୁ ନେଇ ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା ମଧ୍ୟରେ ସରକାର ବିଲ୍ ଆଗତ କରିବାକୁ ଘୁଞ୍ଚାଇ ଚାଲିଛନ୍ତି।
ସୌଜନ୍ୟ ସମ୍ବାଦ




