Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ
ମଡେଲ୍ ତଥା ଅଭିନେତ୍ରୀ ତ୍ବିଷା ଶର୍ମାଙ୍କ ମୃତ୍ୟୁ ମାମଲାର ବିଚାରକୁ ଭୋପାଳରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟ ଭୋପାଳ ଅଦାଲତରେ ଚାଲିଥିବା ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି।

ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ତ୍ବିଷା ଶର୍ମାଙ୍କ ମୃତ୍ୟୁ ମାମଲାର ବିଚାରକୁ ଭୋପାଳରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍କୋର୍ଟ ଭୋପାଳ ଅଦାଲତରେ ଚାଲିଥିବା ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ତ୍ବିଷାଙ୍କ ସ୍ୱାମୀ ସମର୍ଥ ସିଂହ ଓ ଶାଶୂ ଗିରିବାଳା ସିଂହଙ୍କଠାରୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ତ୍ବିଷାଙ୍କ ବାପା ନବନିଧି ଶର୍ମାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶରେ ତାଙ୍କ ଝିଅଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କା ପ୍ରକାଶ କରି ନବନିଧି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଅଭିଜିତ୍ ସିହ୍ନା ଯୁକ୍ତି ରଖିଥିଲେ ଯେ, ତ୍ବିଷାଙ୍କ ଶାଶୂ ଗିରିବାଳା ସିଂହ ଜଣେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ହୋଇଥିବାରୁ ଭୋପାଳରେ ତାଙ୍କର ପ୍ରଭାବ ରହିଛି। ତେଣୁ ମାମଲାର ନିରପେକ୍ଷ ବିଚାର ନେଇ ପରିବାର ଆଶଙ୍କାରେ ଅଛି। ଏହାର ସମର୍ଥନରେ କିଛି ତଥ୍ୟ ସିଲ୍ କଭର୍ରେ ଅଦାଲତଙ୍କୁ ଦିଆଯାଇଥିବା ମଧ୍ୟ ଆବେଦନକାରୀଙ୍କ ଓକିଲ କହିଛନ୍ତି।
ଭୋପାଳର ଅଦାଲତରେ ମାମଲା
ତ୍ବିଷାଙ୍କ ମୃତ୍ୟୁ ପରେ ତଦନ୍ତର ପ୍ରାରମ୍ଭିକ ପଦକ୍ଷେପ, ପ୍ରମାଣ ସଂଗ୍ରହ ଏବଂ ଅଭିଯୁକ୍ତଙ୍କ ଜାମିନ୍ ଆବେଦନର ଶୁଣାଣିକୁ ନେଇ ମଧ୍ୟ ପରିବାର ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ମାମଲାଟି ଭୋପାଳର ଦଶମ ଜିଲ୍ଲା ଓ ଅତିରିକ୍ତ ଦୌରା ଜଜ୍ଙ୍କ ଅଦାଲତରେ ଚାଲିଛି। ତ୍ବିଷାଙ୍କ ସ୍ୱାମୀ ସମର୍ଥ ସିଂହ ପେସାରେ ଜଣେ ଓକିଲ ହୋଇଥିବା ବେଳେ ତାଙ୍କ ଶାଶୂ ଗିରିବାଳା ପୂର୍ବତନ ବିଚାରପତି। ଉଭୟଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ପ୍ରରୋଚନା ଭଳି ଅଭିଯୋଗ ରହିଛି। ତ୍ବିଷା ମେ ୧୨ରେ ଭୋପାଳସ୍ଥିତ ଶାଶୂଘରେ ମୃତ ଅବସ୍ଥାରେ ମିଳିଥିଲେ। ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି।
ସୌଜନ୍ୟ ସମ୍ବାଦ




