Demand: ଲଦାଖ ପ୍ରସଙ୍ଗରେ କେନ୍ଦ୍ର ସହ ଆଲୋଚନା ବିଫଳ, ୨୨ରେ ପୁଣି ବୈଠକ
ଲଦାଖକୁ ସ୍ୱତନ୍ତ୍ର ସାମ୍ବିଧାନିକ ସୁରକ୍ଷା ଓ ବିଧାନସଭା ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଲଦାଖର ନେତାମାନଙ୍କ ମଧ୍ୟରେ ଗୁରୁବାର ଲେହରେ ଅନୁଷ୍ଠିତ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଉଭୟ ପକ୍ଷ ନିଜ ନିଜ ପ୍ରସ୍ତାବର ଚିଠା ଆଦାନପ୍ରଦାନ...

ଶ୍ରୀନଗର: ଲଦାଖକୁ ସ୍ୱତନ୍ତ୍ର ସାମ୍ବିଧାନିକ ସୁରକ୍ଷା ଓ ବିଧାନସଭା ପ୍ରଦାନ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଲଦାଖର ନେତାମାନଙ୍କ ମଧ୍ୟରେ ଗୁରୁବାର ଲେହରେ ଅନୁଷ୍ଠିତ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଉଭୟ ପକ୍ଷ ନିଜ ନିଜ ପ୍ରସ୍ତାବର ଚିଠା ଆଦାନପ୍ରଦାନ କରିଥିଲେ ମଧ୍ୟ ସହମତି ହୋଇପାରିନାହିଁ। ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀରେ ପୁଣି ଆଲୋଚନା ହେବ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉପକମିଟି ଓ ଲଦାଖର ଦୁଇଟି ପ୍ରମୁଖ ସଂଗଠନ ଲେହ ଆପେକ୍ସ ବଡି (ଏଲ୍ଏବି) ଏବଂ କାର୍ଗିଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (କେଡିଏ)ର ପ୍ରତିନିଧିଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ଲଦାଖ ପାଇଁ ସାମ୍ବିଧାନିକ ସୁରକ୍ଷା ଓ ଏକ ନିର୍ବାଚିତ ଶାସନ ବ୍ୟବସ୍ଥା ଦାବିରେ ଏହି ସଂଗଠନ ଦୁଇଟି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।
କେଉଁମାନେ ଥିଲେ ଉପସ୍ଥିତ?
ବୈଠକରେ ଲଦାଖର ଲୋକସଭା ସାଂସଦ ହାଜି ହନିଫା ଜାନ୍, ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍, କାର୍ଗିଲ୍ ହିଲ୍ କାଉନସିଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ କାଉନସିଲର ମହମ୍ମଦ ଜାଫର ଅଖୁନ୍, ଲଦାଖର ମୁଖ୍ୟ ସଚିବ ଆଶିଷ କୁନ୍ଦ୍ରା ଓ ଲେହ ହିଲ୍ କାଉନସିଲ୍ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ତାଶି ଗ୍ୟାଲସନ୍ ଉପସ୍ଥିତ ଥିଲେ। ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସମ୍ବିଧାନର ଧାରା ୩୭୧(କେ) ଅନୁଯାୟୀ ଲଦାଖ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ଏକ ନିର୍ବାଚିତ ସଂସ୍ଥା ଗଠନ ନେଇ ଆଲୋଚନା ହୋଇଥିଲା।
ନିଜସ୍ୱ ଦାବି ଦାଖଲ
ଏଲ୍ଏବିର ସହ-ଅଧ୍ୟକ୍ଷ ଚେରିଙ୍ଗ ଦୋର୍ଜେ କହିଛନ୍ତି, ଗୃହ ମନ୍ତ୍ରଣାଳୟ ନିଜ ପ୍ରସ୍ତାବ ଦେଇଥିବା ବେଳେ ଲଦାଖ ପ୍ରତିନିଧିମାନେ ମଧ୍ୟ ନିଜସ୍ୱ ଦାବି ଦାଖଲ କରିଛନ୍ତି। ଦୁଇଟି ପ୍ରସ୍ତାବ ମଧ୍ୟରେ ପାର୍ଥକ୍ୟ ଥିବାରୁ ସହମତି ହୋଇପାରିନାହିଁ। ତେବେ ବିଧାନସଭା ଓ ସାମ୍ବିଧାନିକ ସୁରକ୍ଷା ଦାବିରୁ ଓହରିବାର ପ୍ରଶ୍ନ ନାହିଁ ବୋଲି ଦୋର୍ଜେ ସ୍ପଷ୍ଟ କରିଛନ୍ତି। କେଡିଏର ସହ-ଅଧ୍ୟକ୍ଷ ଅସଗର କରବଲାଇ କହିଛନ୍ତି, କେନ୍ଦ୍ରର ପ୍ରସ୍ତାବ ଲଦାଖବାସୀଙ୍କ ଆଶା ଓ ଦାବି ପୂରଣ କରୁନାହିଁ। ଏହି ନିର୍ବାଚିତ ସଂସ୍ଥାର ନିଜସ୍ୱ କାର୍ଯ୍ୟନିର୍ବାହୀ, ଆର୍ଥିକ ଓ ବିଧାନ ପ୍ରଣୟନ କ୍ଷମତା ରହିବା ଦରକାର। ଟିକସ ଆଦାୟ, ବଜେଟ୍, ଖର୍ଚ୍ଚ, ଋଣ ଓ ସରକାରୀ ପାଣ୍ଠି ଉପରେ ମଧ୍ୟ ନିର୍ବାଚିତ ସଂସ୍ଥାର ନିୟନ୍ତ୍ରଣ ରହୁ ବୋଲି ଏଲ୍ଏବି ଓ କେଡିଏ ଦାବି କରିଛନ୍ତି। ସୋନମ ୱାଙ୍ଗଚୁକ୍ ମଧ୍ୟ ବୈଠକର ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରର ସଂଶୋଧିତ ପ୍ରସ୍ତାବକୁ ଲଦାଖ ପ୍ରତିନିଧିମାନେ ଅପେକ୍ଷା କରିଛନ୍ତି। ଗତ ସେପ୍ଟେମ୍ବର ୯ରେ ନୂଆଦିଲ୍ଲୀରେ ହୋଇଥିବା ବୈଠକରେ ଲଦାଖ ପାଇଁ ଏକ ସ୍ୱତନ୍ତ୍ର ଶାସନ ମଡେଲ୍ ଉପରେ ବୁଝାମଣା ହୋଇଥିବା କୁହାଯାଇଥିଲା। ଏବେ ଆସନ୍ତା ୨୨ ତାରିଖର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।
ସୌଜନ୍ୟ ସମ୍ବାଦ




