Factory Blast: ଗୁଜୁରାଟର ଭରୁଚରେ ଔଷଧ କମ୍ପାନିରେ ବଡ଼ ଧରଣର ବିସ୍ଫୋରଣ: ୫ ମୃତ,୬ରୁ ଅଧିକ ଆହତ
ଗୁଜୁରାଟର ଭରୁଚରେ ଏକ ଔଷଧ କମ୍ପାନିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଭରୁଚ ଏବଂ ଭଦୋଦରାର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅହମଦାବାଦ: ଗୁଜୁରାଟର ଭରୁଚରେ ଏକ ଔଷଧ କମ୍ପାନିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଭରୁଚ ଏବଂ ଭଦୋଦରାର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମୃତଦେହକୁ ଭରୁଚ ସିଭିଲ୍ ହସ୍ପିଟାଲକୁ ନିଆଯାଇଛି।
ପାଞ୍ଚ ଜଣ ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଭାଗ୍ରାର ସିଫ୍ଟ ଇନଚାର୍ଜ ଜୟଦୀପ ପଟେଲ, ଅନିକେତକୁମାର ହରିକିଶୋର, ଅର୍ଜୁନ ରାମସିଂ ଗୌତମ ଏବଂ ଭ୍ରୁଣ୍ଡ ତଲାଭିଆ ଭାବରେ ଚିହ୍ନଟ କରାଯାଇଛି। କର୍ତ୍ତୃପକ୍ଷ ପଞ୍ଚମ ମୃତ ଶ୍ରମିକଙ୍କ ପରିଚୟ ଯାଞ୍ଚ୍ କରୁଛନ୍ତି ଏବଂ ଆହତମାନଙ୍କ ବିଷୟରେ ବିବରଣୀ ସଂଗ୍ରହ କରୁଛନ୍ତି। ଗ୍ୟାସ୍ ଲିକ୍ ହେବା ଫଳରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ,କାମ କରୁଥିବା ଶ୍ରମିକମାନେ ବାହାରକୁ ବାହାରିବାର ସୁଯୋଗ ପାଇନଥିଲେ।
ଗ୍ୟାସର ସଂସ୍ପର୍ଶରେ ଆସି ଅସୁସ୍ଥ
ରିପୋର୍ଟ ଅନୁଯାୟୀ, ହାଇଡ୍ରୋଜେନେସନ୍ ପ୍ରକ୍ରିୟା ସମୟରେ ୧୫,୦୦୦ ଲିଟର କ୍ଷମତା ବିଶିଷ୍ଟ ରିଆକ୍ଟରରେ ବିସ୍ଫୋରଣ ହୋଇଥିଲା। ଫଳରେ ମିଥାଇଲିନ୍ ଡାଇକ୍ଲୋରାଇଡ୍ (ଏମଡିସି) ଗ୍ୟାସ୍ ଲିକ୍ ହୋଇ ପ୍ଲାଣ୍ଟ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ଘନ ଧୂଆଁରେ ଆଚ୍ଛାଦିତ କରିଦେଇଥିଲା। ସେଠାରେ ଥିବା ଶ୍ରମିକ ଏବଂ ଅନ୍ୟମାନେ ଗୁରୁତର ଆଖି ଜ୍ୱଳନ ଅଭିଯୋଗ କରିଥିଲେ। କିଛି କର୍ମଚାରୀ ଗ୍ୟାସର ସଂସ୍ପର୍ଶରେ ଆସିବା ପରେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଏବଂ ତଦନ୍ତ ଆରମ୍ଭ କରିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚ ଜିଲ୍ଲାର ଭାଗ୍ରା ତାଲୁକାରେ ଥିବା ଜିଆଇଡିସି ସାୟଖା ଶିଳ୍ପ ଇଷ୍ଟେଟରେ ଅବସ୍ଥିତ ଔଷଧ କମ୍ପାନିରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣର ଶବ୍ଦ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବିସ୍ଫୋରଣ ପରେ ପ୍ଲାଣ୍ଟରେ ଭାରୀ ଯନ୍ତ୍ରପାତି ଏବଂ ଧାତୁ ଚାଦରର କିଛି ଅଂଶ ବିଛାଡ଼ି ପଡ଼ିଥିଲା।
ସୌଜନ୍ୟ ସମ୍ବାଦ




