ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ଅଧା କିଲୋର ମାଛ! କେଉଁଠୁ ଆସିଲା ? ସବୁଆଡେ ପଡ଼ିଲା ହୁରି

ପୁରୀ,୧୭/୧୦: ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ମାଛ ପଡ଼ିବା ନେଇ ଶୁକ୍ରବାର ବେଶ୍ ଚର୍ଚ୍ଚା । ତାହା ପୁଣି ପ୍ରାୟ ଅଧାକିଲୋ ଓଜନର ବେଶ ବଡ଼ ମାଛଟିଏ । ଶ୍ରୀମନ୍ଦିର ଭିତରେ ପୁଣି କୋଇଲି ବୈକୁଣ୍ଠରେ କିପରି ପହଞ୍ଚିଲା ଏହି ମାଛ । ଏହି ଖବର ପବନ ଗତିରେ ଖେଳି ଯାଇଥିଲା । ସମୟ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ଭଳି ହେବ । ଖବର ମିଳିବା କ୍ଷଣି ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ଦେଖଣାହାରୀ ଘଟଣାସ୍ଥଳକୁ ଧାଇଁଥିଲେ । ସୁଆର ମହାସୁଆର ନିଯୋଗ ନିକଟରେ ମାଛଟି ପଡ଼ିଥିଲା । ଚାରିଆଡ଼େ ଏହା ପ୍ରଚାର ହେବାରେ କେଉଁଠାରୁ ଏହି ମାଛ ଆସିଲା ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଗଲା । ଆଉ ମାତ୍ର କିଛି ବାଟ ପରେ ଠାକୁରଙ୍କ ସମାଧିସ୍ଥଳ । ମହାପ୍ରଭୁଙ୍କ ନବକଳେବର ସମୟରେ ଚତୁର୍ଦ୍ଧାମୂର୍ତ୍ତି ସେଠାରେ ସମାଧି ହୁଅନ୍ତି ।
ଏବେ ପୁଣି ମା’ଙ୍କର ଷୋଳ ପୂଜା ଅନୁଷ୍ଠିତ ହେଉଛି । ଆଜି ମହାସପ୍ତମୀ । ଶ୍ରୀମନ୍ଦିର ଉପରେ ଅନେକ ସମୟରେ ଚିଲ ଉଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଛି । ଶୁକ୍ରବାର ମଧ୍ୟ ଏକାଧିକ ଚିଲ ଶ୍ରୀମନ୍ଦିର ଉପରେ ଚକ୍କର କାଟୁଥିଲେ । ଏଣୁ ଚିଲ ଥଣ୍ଟରୁ ମାଛ ଖସିଥିବା ନେଇ ଆଲୋଚନା ହେଉଥିଲା । ଶେଷରେ ସଫେଇ କର୍ମଚାରୀ ଆସି ମାଛଟିକୁ ସେଠାରୁ ନେବା ପରେ ଦେଖଣାହାରୀ ଘଟଣାସ୍ଥଳରୁ ଖାଲି ହୋଇଯାଇଥିଲେ ।
ସୌଜନ୍ୟ ପ୍ରମେୟ




