Lal Krishna Advani: ବର୍ଷୀୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଛାତିରେ ସଂକ୍ରମଣ କାରଣରୁ ଘରୋଇ ହସପିଟାଲ୍ରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୧୭/୧୦: ବର୍ଷୀୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ଆଜି ରାତି ୭ଟା ୩୦ରେ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ପଲମୋନାରୀ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେଠାରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ୯୮ ବର୍ଷୀୟ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ଗତ ମେ’ରେ ମଧ୍ୟ ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏହା ପୂର୍ବରୁ ୨୦୨୪ ଡିସେମ୍ବରରେ ମଧ୍ୟ ନ୍ୟୁରୋଲଜିକାଲ ସମସ୍ୟା ଯୋଗୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କିଛିଦିନ ଧରି ଚିକିତ୍ସିତ ହୋଇଥିଲେ । ଆଡଭାନୀ ୩ ଥର (୧୯୮୬-୧୯୯୦, ୧୯୯୩-୧୯୯୮ ଓ ୨୦୦୪ ୨୦୦୫) ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ସୌଜନ୍ୟ ପ୍ରମେୟ


