ଜାତୀୟ

ପାର୍ବଣ ଭିତରେ ଖାଉଟିଙ୍କୁ ବଡ଼ ଝଟକା: ମହଙ୍ଗା ହେବ ଖାଇବା ତେଲ, ସୋରିଷ ତେଲ ଦାମ୍‌…

ନୂଆଦିଲ୍ଲୀ,୨୧।୧୦: ପାର୍ୱଣର ଏହି ଋତୁରେ ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟ ଉପରେ ଏକ ବଡ଼ ଝଟକା ଲାଗିପାରେ। ଆଗାମୀ ଦିନରେ ସୋରିଷ, ସୋୟାବିନ ଏବଂ ପାମ ତେଲ ସମେତ ସମସ୍ତ ପ୍ରକାର ଖାଇବା ତେଲର ଦର ବୃଦ୍ଧି ପାଇପାରେ। ଏହାର ସବୁଠାରୁ ବଡ଼ କାରଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ପାମ ତେଲ ଯୋଗାଣକାରୀ ଦେଶ ଇଣ୍ଡୋନେସିଆରେ ଦେଖାଦେଇଥିବା ମରୁଡ଼ି ଏବଂ ଏଲ ନିନୋର ପ୍ରଭାବ। ଇଣ୍ଡୋନେସିଆରେ ପାମ ତେଲ ଉତ୍ପାଦନ ହ୍ରାସ ପାଇଛି। ଜାଣନ୍ତୁ ଇଣ୍ଡୋନେସିଆର ମରୁଡ଼ିର ପ୍ରଭାବ ଆପଣଙ୍କ ରୋଷେଇ ଘର ଏବଂ ପକେଟ ଉପରେ କାହିଁକି ପଡ଼ିବାକୁ ଯାଉଛି।

ଇଣ୍ଡୋନେସିଆନ ପାମ ଅଏଲ ଆସୋସିଏସନ ଅନୁଯାୟୀ, ମରୁଡ଼ି ଯୋଗୁଁ ପାମ ତେଲ ଉତ୍ପାଦନ ପ୍ରାୟ ୫୦ ଲକ୍ଷ ଟନ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଇଣ୍ଡୋନେସିଆ ନିଜର ନୂତନ B50 ନୀତି ଲାଗୁ କରିବାକୁ ଯାଉଛି, ଯାହା ଅଧୀନରେ ଘରୋଇ ବାୟୋଡିଜେଲ ତିଆରିରେ ପାମ ତେଲର ବ୍ୟବହାର ଅଧିକ ହେବ। ବାୟୋଡିଜେଲ ପାଇଁ ୧.୬୩ ରୁ ୧.୭ କୋଟି ଟନ ପାମ ତେଲ ଆବଶ୍ୟକ ହେବ, ଯାହାଫଳରେ ଭାରତ ଭଳି ଦେଶଗୁଡ଼ିକୁ ରପ୍ତାନି କରିବା ପାଇଁ କମ ତେଲ ବଳିବ।

ଭାରତ ତାର ମୋଟ ଆବଶ୍ୟକତାର ପ୍ରାୟ ୫୫-୬୦% ଖାଇବା ତେଲ ଅନ୍ୟ ଦେଶରୁ ଆମଦାନୀ କରିଥାଏ। ପାମ ତେଲ ମୁଖ୍ୟତଃ ଇଣ୍ଡୋନେସିଆ ଏବଂ ମାଲେସିଆରୁ ଆସିଥାଏ। ଯେତେବେଳେ ପାମ ତେଲ ମହଙ୍ଗା ହେବ, ଲୋକେ ସୋୟାବିନ ଏବଂ ସୋରିଷ ତେଲ ଆଡ଼କୁ ମୁହାଁଇବେ। ଚାହିଦା ବଢ଼ିବା କାରଣରୁ ସୋରିଷ ଏବଂ ସୋୟାବିନ ତେଲର ଦର ମଧ୍ୟ ବୃଦ୍ଧି ପାଇବ, ଯାହାର ପ୍ରଭାବ ମୂଲ୍ୟ ଉପରେ ପଡ଼ିବ।

ସେପ୍ଟେମ୍ୱର ମାସରେ ହିଁ ବିଶ୍ୱ ବଜାରରେ ଖାଇବା ତେଲର ମୂଲ୍ୟ ୧୧.୨% ପର୍ଯ୍ୟନ୍ତ ବଢ଼ିସାରିଛି। ଅଶୋଧିତ ପାମ ତେଲ ଟନ ପିଛା ୧୨୮୫ ଡଲାର ଏବଂ ସୋୟାବିନ ତେଲ ଟନ ପିଛା ୧୩୧୪ ଡଲାର ସ୍ତରରେ ପହଞ୍ଚିଯାଇଛି।

ମୋଟ ଉପରେ, ଇଣ୍ଡୋନେସିଆରେ ବିଶ୍ୱସ୍ତରୀୟ ଯୋଗାଣ ହ୍ରାସ ପାଇବା ଏବଂ ବାୟୋଡିଜେଲ ପାଇଁ ପାମ ତେଲର ବ୍ୟବହାର ବୃଦ୍ଧି ହେବା ଯୋଗୁଁ ଆଗାମୀ ମାସଗୁଡ଼ିକରେ ଭାରତରେ ରିଫାଇଣ୍ଡ, ସୋରିଷ ଏବଂ ସୋୟାବିନ ତେଲର ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button