ରୋମ: ହିଂସାତ୍ମକ ପ୍ରତିବାଦର ମୁକାବିଲା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି। ଏଥିରେ ପ୍ରଦର୍ଶନ ସମୟରେ ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ଏହା ସହିତ, ଯେଉଁ ପିତାମାତାଙ୍କ ପିଲାମାନେ ଭଙ୍ଗାରୁଜା ଏବଂ ଲୁଟପାଟ୍ରେ ଅଂଶଗ୍ରହଣ କରିବେ ସେମାନଙ୍କ ଉପରେ ଆର୍ଥିକ ଜରିମାନା ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ଏହି ଆଦେଶ ଘୋଷଣା କରିଛନ୍ତି। ଏହି ଆଇନ ତୁରନ୍ତ କାର୍ଯ୍ୟକାରୀ ହେବ।
ପ୍ରଦର୍ଶନ ସମୟରେ ହିଂସା ବନ୍ଦ କରିବା ପାଇଁ ଭାରତର ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଇନଗୁଡ଼ିକ ସହିତ ଏହାର ସାମଞ୍ଜସ୍ୟ ରହିଛି।ମେଲୋନି କହିଛନ୍ତି, ପ୍ରତିବାଦରେ ଭଙ୍ଗାରୁଜା ଏବଂ ଲୁଟପାଟକୁ ଯଥାର୍ଥ କରାଯାଇପାରିବ ନାହିଁ। ନୂତନ ନିୟମ ଅନୁଯାୟୀ, ପ୍ରଦର୍ଶନ ସମୟରେ ସାଧାରଣ ସୁରକ୍ଷାକୁ ବିପଦରେ ପକାଇବା ପାଇଁ ଅତି କମରେ ପାଞ୍ଚ ଜଣଙ୍କ ଗୋଷ୍ଠୀର ଅଂଶ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦ ହଜାର ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୧ ଲକ୍ଷ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ନାବାଳକମାନଙ୍କୁ ଗିରଫ କରିବାର କ୍ଷମତା
ଯଦି ନାବାଳକମାନେ ଭଙ୍ଗାରୁଜା କିମ୍ବା ଲୁଟପାଟ୍ରେ ସମ୍ପୃକ୍ତ ବୋଲି ଜଣାପଡ଼େ, ତେବେ ସେମାନଙ୍କ ପିତାମାତାଙ୍କୁ ଜରିମାନା ଦେବାକୁ ପଡ଼ିବ। ଏହି ଆଇନ ପୁଲିସକୁ ୧୪ ରୁ ୧୭ ବର୍ଷ ବୟସର ନାବାଳକମାନଙ୍କୁ ଗିରଫ କରିବାର କ୍ଷମତା ଦେଇଛି। ସେମାନେ କୌଣସି ଅପରାଧ କରି ନଥିଲେ ମଧ୍ୟ ଯଦି କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ ସେମାନେ ବିପଦ ସୃଷ୍ଟି କରୁଛନ୍ତି। ତେବେ ସେମାନଙ୍କୁ ଉଠାଇ ନିଆଯିବ। ପୂର୍ବରୁ ପୁଲିସ କେବଳ ବୟସ୍କମାନଙ୍କ ସହିତ ଏହା କରିପାରୁଥିଲା।
ଗତ ସପ୍ତାହନ୍ତରେ ଉତ୍ତର ଇଟାଲୀରେ ବିରୋଧ ପ୍ରଦର୍ଶନ ସମୟରେ ହିଂସା ଦେଖାଦେବା ପରେ ମେଲୋନି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଦର୍ଶନ ସମୟରେ ଦେଶର ଆର୍ଥିକ ରାଜଧାନୀ ମିଲାନରେ ଯୁବବର୍ଗ ଉତ୍ତ୍ୟକ୍ତ ହୋଇ କୋଠା ଭଙ୍ଗାରୁଜା କରିଥିଲେ, ଦୋକାନ ଲୁଟ୍ କରିଥିଲେ ଏବଂ ପୁଲିସ ଉପରେ ଆକ୍ରମଣ କରିଥିଲେ।
ସୌଜନ୍ୟ ସମ୍ବାଦ