Gold Smuggling Racket ବସ୍ରୁ ୩.୧ କେଜି ସୁନା ବିସ୍କିଟ୍, ସ୍କର୍ପିଓରୁ ବିପୁଳ ବିଦେଶୀ ମୁଦ୍ରା ଜବତ, ୫ ଗିରଫ
ଡିଆର୍ଆଇ ଆନ୍ତର୍ଜାତୀୟ ସୁନା ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ୍ କରି ୩.୧ କେଜି ସୁନା ବିସ୍କୁଟ୍ ଓ ବିଦେଶୀ ମୁଦ୍ରା ଜବତ କରିଛି। ଜବତ ସାମଗ୍ରୀର ମୂଲ୍ୟ ୫.୮୪ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ୫ ଜଣ ଗିରଫ ହୋଇଛନ୍ତି।

ଭୁବନେଶ୍ବର: ବାଂଲାଦେଶରୁ ସୁନା ଚୋରାଚାଲାଣ କରି ଭାୟା କୋଲକାତା ଦେଇ ହାଇଦ୍ରାବାଦ ଯାଉଥିବା ଏକ ଆନ୍ତର୍ଜାତୀୟ ସୁନା ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ୍ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ)। ରୢାକେଟ୍ରେ ସମ୍ପୃକ୍ତ ୫ ଜଣ ମାଫିଆଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ପ୍ରାୟ ୩.୧ କିଲୋଗ୍ରାମ ସୁନା ଓ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ କରାଯାଇଛି। ଜବତ ସୁନା ଓ ବିଦେଶୀ ମୁଦ୍ରାର ମୋଟ ମୂଲ୍ୟ ଆନୁମାନିକ ୫.୮୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ସୂଚନା ମୁତାବକ, ଏକ ଅର୍ନ୍ତଜାତୀୟ ସୁନା ମାଫିଆ ରୢାକେଟ୍ ବଡ଼ ଧରଣର ସୁନା ଚୋରାଚାଲାଣ ନେଇ ଯୋଜନା କରିଥିବା ଡିଆର୍ଆଇ ହାତରେ ଖବର ଲାଗିଥିଲା। ଖବର ମିଳିବା ମାତ୍ରେ ହାଇଦ୍ରାବାଦ ଜୋନାଲ୍ ୟୁନିଟ୍ ଓ ବିଜୟୱାଡ଼ା ରିଜିଓନାଲ୍ ୟୁନିଟ୍ ରୢାକେଟ୍କୁ ଠାବ ପାଇଁ ମିଳିତ ଭାବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଅପରେସନ୍ରେ ଲାଗିପଡ଼ିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଅଧିକାରୀମାନେ ବିଜୟୱାଡ଼ାର ବାହାର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଇଥିଲେ। ଦୁଇ ଜଣଙ୍କୁ କାବୁ କରି ଯାଞ୍ଚ ସମୟରେ ସ୍କର୍ପିଓରୁ ୬୦ ହଜାର ଆମେରିକୀୟ ଡଲାର ଏବଂ ୨୧ ହଜାର ୫୦୦ ୟୁରୋ ମଧ୍ୟ ଜବତ କରାଯାଇଥିଲା।
ସେହିପରି ହାଇଦ୍ରାବାଦ ଯାଉଥିବା ଏକ ବସ୍ରୁ ଅନ୍ୟ ତିନି ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା। ଟୋଲ୍ ପ୍ଲାଜା ନିକଟରେ ବସ୍କୁ ଅଟକାଇ ତିନି ଜଣଙ୍କୁ ଯାଞ୍ଚ ସମୟରେ ସେମାନଙ୍କ ଅଣ୍ଟାରୁ ତିନୋଟି ବିଦେଶୀ ସୁନା ବିସ୍କୁଟ୍ ମିଳିଥିଲା। ସୁନାର ଓଜନ ପାଖପାଖି ୩.୧ କିଲୋଗ୍ରାମ ଥିବା ଜଣାପଡ଼ିଛି। ଜବତ ସୁନା ଓ ବିଦେଶୀ ମୁଦ୍ରାର ମୋଟ ମୂଲ୍ୟ ପ୍ରାୟ ୫.୮୪ କୋଟି ଟଙ୍କା ଆକଳନ କରାଯାଉଛି।
ସୌଜନ୍ୟ ସମ୍ବାଦ




