ଦେଶ ବିଦେଶ

Elon Musk: ମସ୍କଙ୍କ ନିର୍ଦ୍ଦେଶରେ ଷ୍ଟାର୍‌ଲିଙ୍କ୍‌ ସେବାରେ କଟକଣା

ୟୁକ୍ରେନ୍‌ର ସାମରିକ ଡ୍ରୋନ୍‌ ଅପରେସନରେ ବ୍ୟବହୃତ ଷ୍ଟାର୍‌ଲିଙ୍କ୍‌ ଉପଗ୍ରହ ଯୋଗାଯୋଗ ସେବାର ଗତି ଉପରେ କଟକଣା ଲଗାଇବାକୁ ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ୍‌ ମସ୍କ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଛି।

ୱାସିଂଟନ: ୟୁକ୍ରେନ୍‌ର ସାମରିକ ଡ୍ରୋନ୍‌ ଅପରେସନରେ ବ୍ୟବହୃତ ଷ୍ଟାର୍‌ଲିଙ୍କ୍‌ ଉପଗ୍ରହ ଯୋଗାଯୋଗ ସେବାର ଗତି ଉପରେ କଟକଣା ଲଗାଇବାକୁ ସ୍ପେସ୍‌ଏକ୍ସ ମୁଖ୍ୟ ଏଲନ୍‌ ମସ୍କ ନିର୍ଦ୍ଦେଶ ଦେଇଥିବା ଖବର ପ୍ରକାଶ ପାଇଛି। ଆମେରିକାର ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ଏହି ରିପୋର୍ଟ ଦେଇଛି।

ୟୁକ୍ରେନ୍‌ ଯୁଦ୍ଧକ୍ଷେତ୍ରରେ ସୈନ୍ୟଙ୍କ ସହ ଯୋଗାଯୋଗ ରକ୍ଷା କରିବା, ଡ୍ରୋନ୍‌ ଚଳାଇବା ଓ ରୁଷୀୟ ଡ୍ରୋନ୍‌କୁ ଅଟକାଇବା ପାଇଁ ଷ୍ଟାର୍‌ଲିଙ୍କ୍‌ ସେବା ଉପରେ ନିର୍ଭର କରୁଛି। ଅକ୍ଟୋବର ୧୪ରୁ ଲାଗୁ ହୋଇଥିବା ଏହି କଟକଣା ଯୋଗୁଁ ୟୁକ୍ରେନ୍‌ର ଆକ୍ରମଣ କ୍ଷମତା ପ୍ରଭାବିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ, କଟକଣା ପରେ ୟୁକ୍ରେନ୍‌ର ଅଧିକ ବେଗରେ ଉଡ଼ୁଥିବା ଡ୍ରୋନ୍‌ଗୁଡ଼ିକର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ଏହା ଯୋଗୁଁ କେତେକ ଡ୍ରୋନ୍‌ ନଷ୍ଟ ହେବା ସହ ଅନେକ ସାମରିକ ଅଭିଯାନ ବିଫଳ ହୋଇଥିବା ୟୁକ୍ରେନ୍‌ର ଅଧିକାରୀମାନେ କହିଛନ୍ତି।
ଷ୍ଟାର୍‌ଲିଙ୍କ୍‌ ହେଉଛି ସ୍ପେସ୍‌ଏକ୍ସର ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍‌ ସେବା। ଏହାର ସାମରିକ ବ୍ୟବସ୍ଥା ‘ଷ୍ଟାର୍‌ସିଲ୍‌ଡ୍‌’ ୟୁକ୍ରେନ୍‌ର ସାମରିକ ଯୋଗାଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।
ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଅନୁସାରେ, ଷ୍ଟାର୍‌ଲିଙ୍କ୍‌ ସେବାରେ କଟକଣା ଲାଗୁ ହେବା ପୂର୍ବରୁ ଓ ପରେ ମସ୍କ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋନ୍‌ରେ ଆଲୋଚନା କରିଥିଲେ। କେତେକ ଆମେରିକୀୟ ଅଧିକାରୀଙ୍କ ମତରେ ମସ୍କ ନିଜେ ଏହି ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ, ଟ୍ରମ୍ପ୍‌ ଏହି କଟକଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗ୍‌ସେଥ୍‌ କହିଛନ୍ତି ଯେ ୟୁକ୍ରେନ୍‌ର ଷ୍ଟାର୍‌ଲିଙ୍କ୍‌ ସେବା ବ୍ୟବହାର କରିବାର ସୁଯୋଗ ଆମେରିକା ପ୍ରତ୍ୟାହାର କରିନାହିଁ। ତେବେ ସେବାର ସର୍ତ୍ତାବଳୀ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛି। ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲୋଚନା କରି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ମଧ୍ୟ ଷ୍ଟାର୍‌ଲିଙ୍କ୍‌ ଓ ଷ୍ଟାର୍‌ସିଲ୍‌ଡ୍‌ ସେବା ପୁନଃସ୍ଥାପନ ପ୍ରସଙ୍ଗ ଉଠାଇଛନ୍ତି। ଏହି ଘଟଣା ଆମେରିକା ଓ ୟୁକ୍ରେନ୍‌ ମଧ୍ୟରେ ବଢ଼ୁଥିବା ମତଭେଦକୁ ଆହୁରି ତୀବ୍ର କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button