Kotia Dispute: କୋଟିଆ ବିବାଦ: ପରବର୍ତ୍ତି ପଦକ୍ଷେପ ପାଇଁ ଏଜି ଓ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ଆଲୋଚନା କଲେ ରାଜସ୍ୱ ମନ୍ତ୍ରୀ
କୋରାପୁଟର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଜି ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଆଇନଗତ ପଦକ୍ଷେପ ତ୍ୱରାନ୍ୱିତ କରିବା ଓ ସୀମାନ୍ତରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି।

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆ ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରୁଛି। ଏନେଇ ଆନ୍ଧ୍ରସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଆଜି (ବୁଧବାର) ଆଭାସୀ ମାଧ୍ୟମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି। ଏଥିରେ ମହାଧିବକ୍ତା (ଆଡ୍ଭୋକେଟ୍ ଜେନେରାଲ୍) ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।
ବୈଠକ ପରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବିବାଦର ସମାଧାନ ପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ତ୍ୱରାନ୍ୱିତ କରିବା ଏବଂ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି। ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ନିମନ୍ତେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି l ଏହି ଦୀର୍ଘକାଳୀନ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି l
ଏହା ଏକ ସମ୍ବେଦନଶୀଳ ଓ ଆଇନଗତ ପ୍ରସଙ୍ଗ ହୋଇଥିବାରୁ ଏହାର ସମାଧାନ ପାଇଁ ଆଇନଗତ ତଥ୍ୟ, ଐତିହାସିକ ଦଲିଲ, ଜନଗଣନା ତଥ୍ୟ ଓ ପ୍ରଶାସନିକ ରେକର୍ଡ ଆଧାରରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏଣୁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗ, ଆଇନ ବିଶେଷଜ୍ଞ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ସୌଜନ୍ୟ ସମ୍ବାଦ



