Puri Kumbharpada Murder Case: ପୁରୀ କୁମ୍ଭାରପଡ଼ା ହତ୍ୟା ମାମଲା: ୨ ମାସ ପରେ ଧରାପଡ଼ିଲା ମାତୃହନ୍ତା ପୁଅ
ପୁରୀ କୁମ୍ଭାରପଡ଼ାରେ ୭୫ ବର୍ଷୀୟା ଅନ୍ନପୂର୍ଣ୍ଣା ଦଳାଇଙ୍କ ହତ୍ୟା ମାମଲାରେ ଦୁଇ ମାସ ପରେ ପୁଅ ମଦନ ଗଜାନନଙ୍କୁ ଝାଡ଼ଖଣ୍ଡର ଟାଟାନଗରରୁ ଗିରଫ କରିଛି ପୁଲିସ। ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

ପୁରୀ (ଶ୍ୟାମା ପଟ୍ଟନାୟକ): ଚଳିତ ବର୍ଷ ଅଗଷ୍ଟ ୨୪ ତାରିଖ ପୁରୀ କୁମ୍ଭାରପଡ଼ାର ଏକ ଭଡ଼ାଘରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ମହିଳାଙ୍କୁ ହତ୍ୟା କରି ରନ୍ଧାଘରେ ପୋତି ସିମେଣ୍ଟ ଢଳାଇ କରାଯାଇଥିଲା। ଏହି ଘଟଣାରେ ମହିଳାଙ୍କ ପୁଅ ସନ୍ଦେହଘେରରେ ଥିଲା। ଏହି ମାମଲାର ୨ ମାସ ପରେ ୧୯ ତାରିଖ (ସୋମବାର) କୁମ୍ଭାରପଡ଼ା ପୁଲିସ ସୁଦୂର ଟାଟାନଗରରୁ ଗିରଫ କରିଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବିଧବା ମହିଳା ଅନ୍ନପୂର୍ଣ୍ଣା ଦଳାଇ (୭୫)ଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ୪/୫ ଦିନ ପୂର୍ବରୁ ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା କରାଯାଇ, ରନ୍ଧାଘରେ ଥିବା ଏକ ସିମେଣ୍ଟ ଆଲମିରା ଭଳି ଢାଞ୍ଚା ମଧ୍ୟରେ ରଖି ସିମେଣ୍ଟ ଢଳେଇ କରାଯାଇଥିଲା। ଶବଟିର ଫରେନ୍ସିକ୍ ଯାଞ୍ଚ କରାଯାଇଥିଲା। ଏହି ମାମଲାରେ ପୁଲିସ ବିଏନ୍ଏସ୍ର ଧାରା ୧୦୩(୧) ଓ ୨୩୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ମୃତା ମହିଳାଙ୍କ ପୁଅ ମଦନ ଗଜାନନ ଘଟଣାଦିନରୁ ଫେରାର୍ ଥିବାରୁ ସନ୍ଦେହ ବଢ଼ିଥିଲା। ପରେ ସିସିଟିଭି ଯାଞ୍ଚରେ ମଦନ ବାଲ୍ଟିରେ ସିମେଣ୍ଟ ଗୋଳାଇବା ସହ ବାରମ୍ବାର ଘରୁ ବାହାରକୁ ଯାଆସ କରୁଥିବାରୁ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା।
ସୌଜନ୍ୟ ସମ୍ବାଦ



