ରାଜ୍ୟ

Odisha CHSE Plus Two Exams 2027: ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ସିସିଟିଭି ନିରୀକ୍ଷଣ ସହ ନିର୍ଦ୍ଧାରିତ ଭିତ୍ତିଭୂମି ନଥିଲେ ‌ମିଳିବନି ପରୀକ୍ଷାକେନ୍ଦ୍ର ଅନୁମତି

ଯୁକ୍ତ୨ ପରୀକ୍ଷା ୨୦୨୭ ପାଇଁ ନଭେମ୍ବର ୩୦ ସୁଦ୍ଧା ପରୀକ୍ଷାକେନ୍ଦ୍ର ଓ ପରିଚାଳନା ହବ୍‌ରେ ସିସିଟିଭି ଲଗାଇବାକୁ ସିଏଚ୍‌ଏସ୍‌ଇ ନିର୍ଦ୍ଦେଶ ଦେଇଛି। ଧାର୍ଯ୍ୟ ସମୟରେ ନିୟମ ପାଳନ ନକଲେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକେନ୍ଦ୍ର ଅନୁମତି ବାତିଲ୍ ହୋଇପାରେ।

ନଭେମ୍ବର ୩୦ ସୁଦ୍ଧା ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସିଏଚ୍‌ଏସ୍‌ଇର ନିର୍ଦ୍ଦେଶ

ମିଳିଥିବା ସୂଚନାନୁସାରେ, ୨୦୨୭ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍‌, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରାଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ କରାଯିବାକୁ ଥିବାରୁ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ଲଗାଇବେ। ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା, ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ଯେଉଁମାନେ ନୂଆ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଛନ୍ତି ସେମାନେ ପରୀକ୍ଷା ହଲ୍‌ ଓ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ରୁମ୍‌ରେ ସିସିଟିଭି ଲଗାଇଥିବା ପରିଷଦକୁ ସୁନିଶ୍ଚିତ କରାଇବେ। ୨୦୨୬ର ପରିଚାଳନା ହବ୍‌, ପରୀକ୍ଷା କେନ୍ଦ୍ର ସମେତ ନୂଆ କରି ପରୀକ୍ଷା କେନ୍ଦ୍ର ହେବାକୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଡିଭିଆର/ଏନ୍‌ଭିଆର, ଇନ୍‌ଷ୍ଟା କ୍ଲାଉଡ୍‌ଏ ଷ୍ଟାଟିକ୍‌ ଆଇପି ଆଡ୍ରେସ୍‌, ଇନ୍‌ଷ୍ଟା କ୍ଲାଉଣ୍ଡ୍‌ ସିରିଜ୍‌ ନମ୍ବର, କ୍ୟାମେରା ଲଗାଇବେ। ନଭେମ୍ବର ୩୦ ସୁଦ୍ଧା କଲେଜ ନାମ, କଲେଜ କୋଡ୍‌, ଇଣ୍ଟରନେଟ୍‌ ପ୍ରୋଭାଇଡର ପ୍ରଭୃତି ସମ୍ପର୍କରେ ଜଣାଇବେ। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟ ମଧ୍ୟରେ ଏଦିଗରେ ପଦ‌କ୍ଷେପ ନ ନେବେ ସେମାନଙ୍କ ପରୀକ୍ଷା କେନ୍ଦ୍ର(ଉଭୟ ଥିଓରି ଓ ପ୍ରାକ୍ଟିକାଲ) ବାତିଲ୍‌ କରାଯିବ। ଏଥିସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button