Ravana Worship: ଭୁବନେଶ୍ୱରର ୭ ସ୍ଥାନରେ ଧୁମ୍ଧାମ୍ରେ ରାବଣ ପୋଡ଼ି: ଜଳିଲେ ଲଙ୍କାଧିପତି, ଚାରିଆଡ଼େ ଶୁଭିଲା ‘ଜୟ ଶ୍ରୀରାମ’ ନାରା

ଭୁବନେଶ୍ୱର, ୨୨/୧୦: ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଥାଏ ପଡ଼ିଆ । ବାଜାବାଣରେ ପ୍ରକମ୍ପିତ ହେଉଥାଏ ପରିବେଶ । ରଙ୍ଗୀନ ବାଣରେ ଆକାଶ ଝଲସି ଉଠୁଥାଏ । ସମସ୍ତେ ହରିବୋଲ, ହୁଳହୁଳି ଦେଉଥାନ୍ତି । ଅଧର୍ମ ଉପରେ ଧର୍ମର ଜୟ ହେବ, ସେଥିପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି । ନିର୍ଦ୍ଧାରିତ ସମୟରେ ଅଗ୍ନି ସଂଯୋଗ ହେବା ସହ ଦହନ ହୋଇଛନ୍ତି ଲଙ୍କାଧିପତି ରାବଣ ।
ପବିତ୍ର ବିଜୟାଦଶମୀ ଅବସରରେ ରାଜଧାନୀର ୭ଟି ସ୍ଥାନରେ ରାବଣ ପୋଡ଼ି ଧୁମ୍ଧାମ୍ରେ ଆୟୋଜିତ ହୋଇଛି । ସହର ଭିତରେ ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ିର ଝଲକ ଦେଖିବାକୁ ମିଳିଥିଲା । ଏବର୍ଷ ବରମୁଣ୍ଡା ଦୁର୍ଗାପୂଜା କମିଟି ପକ୍ଷରୁ କାଳୀମନ୍ଦିର ପଡ଼ିଆରେ ୬୦ଫୁଟର ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ ହୋଇଥିଲା । ଏହି ସମାରୋହରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ପୂଜା କମିଟିର ସଭାପତି, ସମ୍ପାଦକ, ଉପସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ସୁନ୍ଦରପଦା-କପିଳପ୍ରସାଦ ଦୁର୍ଗାପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ କପିଳପ୍ରସାଦ ଫୁଟ୍ବଲ ପଡ଼ିଆରେ ୫୦ ଫୁଟର ରାବଣ ପୋଡ଼ି ହୋଇଥିଲା ।
ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ସ୍ଥାନୀୟ କସ୍ତୁରବା ଖେଳପଡ଼ିଆରେ ୫୦ଫୁଟର ରାବଣ ପୋଡ଼ି କରାଯାଇଥିଲା । ସମିତିର ଉପଦେଷ୍ଟା ନବକିଶୋର ବେହେରା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପାଟ୍ଟସାହାଣିଙ୍କ ସମେତ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସେହିପରି ବାଙ୍କୁଆଳ ଦୟାନଦୀ ପଠାରେ ୭୦ଫୁଟର ବିଶାଳ ରାବଣ ଦହନ କରାଯାଇଥିଲା । ବାଙ୍କୁଆଳ ଗ୍ରାମ କମିଟି ସଭାପତି କବିରାଜ ସ୍ୱାଇଁ କହିଛନ୍ତି । ତେବେ ଏଠାରେରାବଣ ପ୍ରତିକୃତି ପାର୍ଶ୍ବ ଏକ ବିଶାଳ ଅସରପା ଛବି ଥିବା ପୋଷ୍ଟର ରହିଥିଲା । ଯାହାକି କକରୋଚ୍ ଜନତା ପାର୍ଟି(ସିଜେପି) ପୋଷ୍ଟର ବୋଲି କୁହାଯାଇଥିଲା ।
ସେହିପରି କୋରଡ଼କଣ୍ଟା ଦୁର୍ଗାପୂଜା ସମିତି ପକ୍ଷରୁ ୬୫ଫୁଟର ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯାଇଥିଲା । ଗ୍ରାମ କମିଟିର ସଭାପତି ଜ୍ଞାନରଞ୍ଜନ ଜେନା ଅଗ୍ନି ସଂଯୋଗ କରିଥିଲେ । ଅପରପକ୍ଷେ, ନହରକଣ୍ଟା, ଗୋପାଳପୁର ଖେଳପଡ଼ିଆରେ ରାବଣ ପୋଡ଼ି ହୋଇଥିଲା । ତେବେ ରାବଣପୋଡ଼ି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ରାବଣପୋଡି ସ୍ଥଳରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ଛଡ଼ାଯାଇନଥିବା ବେଳେ ଉକ୍ତ ସ୍ଥାନକୁ ବାରିକେଡ୍ରେ ଆବଧ କରାଯାଇଥିଲା । ସବୁ ସ୍ଥାନରେ ଅଗ୍ନିଶମ ଟିମ୍ ଏବଂ ଇଲେକ୍ଟ୍ରିକାଲ ଟିମ୍ ମଧ୍ୟ ସଜାଗ ରହିଥିଲେ ।
ସୌଜନ୍ୟ ପ୍ରମେୟ



