Cyclone Fear: ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍ଡେଟ୍,୨୩ରେ ଲଘୁଚାପ ସମ୍ଭାବନା, ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି

ଭୁବନେଶ୍ୱର,୨୨/୧୦: ଆସିପାରେ ବଡ଼ ବାତ୍ୟା । ସମୁଦ୍ର ଭିତରେ ଆରମ୍ଭ ହୋଇଗଲାଣି ଲଘୁଚାପ ଗଠନ ପ୍ରକ୍ରିୟା । କ୍ରମଶଃ ବଳ ବଢ଼ାଇ ଏହା ବାତ୍ୟା ରୂପ ନେବ । ତା’ପରେ ଭୀଷଣ କିମ୍ବା ଅତି ଭୀଷଣ ରୂପ ବି ନେଇପାରେ । ଆସନ୍ତା ୨୭ ତାରିଖ ରାତି କିମ୍ବା ୨୮ ତାରିଖରେ ମାଡ଼ ହୋଇପାରେ ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ।
ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଏଭଳି ପ୍ରାକ୍ ଆକଳନ ଦେଖାଇଛନ୍ତି ସମ୍ଭାବ୍ୟ ବାତ୍ୟାକୁ ନେଇ । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଶକ୍ତିଶାଳୀ ବାତ୍ୟା ହେବା ନେଇ ଆଶଙ୍କା ପ୍ରକଟ କରିଛନ୍ତି । ଯଦି ଏହି ବାତ୍ୟା ହୁଏ, ଏହାର ନଁ ‘ଅର୍ଣ୍ଣବ’ ରହିବ ।
ଅବଶ୍ୟ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଏଯାଏଁ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ପୂର୍ବାନୁମାନ ଜାରି କରିନାହିଁ । ଆଇଏମ୍ଡି ଅନୁସାରେ ଗଲ୍ଫ ଅଫ୍ ଥାଇଲାଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଥାଇଲାଣ୍ଡ ଏବଂ ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖବେଳକୁ ଦକ୍ଷିଣ ପୂର୍ବ ଏବଂ ପାଶ୍ୱର୍ବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ । ପରେ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇ ଘନୀଭୂତ ହେବା ସମ୍ଭାବନା ଅଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି, ଏବେ ପାଗ ଶୁଖିଲା ରହିବ । କିନ୍ତୁ, ୨୬ରୁ ବର୍ଷା ହୋଇପାରେ । ବିଦେଶୀ ମଡେଲ୍ ଇସିଏମଡବ୍ଲୁ ୟଏଫ ଏବଂ ଜିଏଫଏସ କିନ୍ତୁ ଭୟାନକ ପୂର୍ବାନୁମାନ ଚିତ୍ର ଦେଖାଇଛନ୍ତି । ଏହି ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଶକ୍ତିଶାଳୀ ରୂପ ନେଇ ଅତି ଭୀଷଣ (ଭେରି ସିଭିୟର) କିମ୍ବା ଅତ୍ୟନ୍ତ ଭୟାନକ ବାତ୍ୟା (ଏକଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ରୂପ ନେଇପାରେ । ପବନ ବେଗ ଘଣ୍ଟା ପ୍ରତି ୮୮ରୁ ୧୧୭ କିଲୋମିଟର ରହିଲେ, ତାହାକୁ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) କୁହାଯାଇଥାଏ । ୧୧୮-୧୬୫ କିମି ପବନ ହେଲେ ଅତି ଭୀଷଣ (ଭେରି ସିଭିୟର) ବାତ୍ୟା କୁହାଯାଏ । ପବନ ବେଗ ଘଣ୍ଟା ପ୍ରତି ୧୬୫ କିମି ଟପିଲେ (୧୬୬-୨୨୧ କିମି) ତାହା ଅତ୍ୟନ୍ତ ଭୟାନକ ବାତ୍ୟା (ଏକଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ହୋଇଥାଏ । ଏଥିରୁ ଅନୁମାନ କରାଯାଇପାରେ, ସମ୍ଭାବ୍ୟ ବାତ୍ୟା ଅତ୍ୟନ୍ତ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ ।
ସୌଜନ୍ୟ ପ୍ରମେୟ



