ରାଜ୍ୟ

Balijatra 2026: ବାଲିଯାତ୍ରାରେ ନୂଆ ଆକର୍ଷଣ, ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ୧୮୦ଫୁଟର ଟାଇଟାନିକ୍ ଜାହାଜ

କଟକ,୨୨/୧୦: ବାଣିଜ୍ୟିକ ପରମ୍ପରା ଓ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ଐତିହାସିକ ବାଲିଯାତ୍ରାରେ ଏଥର ଯୋଡ଼ିହେବ ଏକ ନୂଆ ଆକର୍ଷଣ । ପ୍ରଥମଥର ପାଇଁ ଏଠାରେ ବିଶ୍ୱପ୍ରସିଦ୍ଧ ଟାଇଟାନିକ୍ ଜାହାଜର ମଡେଲ୍ ଭିତରେ ପ୍ରବେଶ କରି ଏହାର ଅନୁଭୂତି ସାଉଁଟିବେ ହଜାର ହଜାର ଲୋକ । ତଳ ପଡ଼ିଆ କାର୍ତ୍ତିକେଶ୍ୱର ଗଡ଼ା ନିକଟରେ ଏହି ଆକର୍ଷଣୀୟ ପ୍ରଦର୍ଶନୀର ଆୟୋଜନ କରାଯିବାକୁ ଯୋଜନା ରହିଛି । ଯାହାକୁ ଓଡ଼ିଶା ଦୋଳି ମୀନାବଜାର ମହାସଂଘ ପକ୍ଷରୁ ଅଣାଯାଇଛି । ତେବେ ଟାଇଟାନିକ୍ ମଡେଲ୍ ତିଆରି କରିବାକୁ ମାସେ ସମୟ ଲାଗିବାକୁ ଥିଲାବେଳେ ଏବେ ଏହାର ଭୂମିପୂଜା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ବିଶ୍ୱର ସବୁଠୁ ଚର୍ଚ୍ଚିତ ଯାତ୍ରୀବାହୀ ଜାହାଜ ମଧ୍ୟରୁ ଟାଇଟାନିକ୍ ଅନ୍ୟତମ । ୧୯୧୨ ମସିହା ଏପ୍ରିଲ୍ ୧୦ରେ ଇଂଲଣ୍ଡର ସାଉଥାମ୍ପଟନ୍‌ରୁ ନ୍ୟୁୟର୍କ ଅଭିମୁଖେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିଥିଲା। କିନ୍ତୁ ଏପ୍ରିଲ୍ ୧୪ ରାତିରେ ଉତ୍ତର ଆଣ୍ଟଲାଣ୍ଟିକ୍ ମହାସାଗରରେ ଏକ ବରଫ ପାହାଡ଼ ସହ ଧକ୍କା ହେବା ପରେ ଏପ୍ରିଲ୍ ୧୫ ତାରିଖରେ ଜାହାଜଟି ବୁଡ଼ିଯାଇଥିଲା । ଏହି ଜାହାଜର ମଡେଲ୍‌କୁ ବାଲିଯାତ୍ରାରେ ଉପସ୍ଥାପନ କରିବା ପଛରେ ଦର୍ଶକଙ୍କୁ ଇତିହାସ ସହ ମନୋରଞ୍ଜନର ଅନୁଭୂତି ଦେବାର ଲକ୍ଷ୍ୟ ରହିଛି । ଲୋକମାନେ ଏହି ଜାହାଜ ସଦୃଶ ମଡେଲ୍ରେ ପ୍ରବେଶ କରିବା ପରେ ଅସଲି ଜାହାଜର ଅନୁଭୂତି ପାଇବେ । ସେଠାରେ ଅନେକ ସେଲ୍ଫି ପଏଣ୍ଟ୍ ରହିଛି । ଏହି ପ୍ରକଳ୍ପକୁ ମହାସଂଘର ସଭାପତି ଅନନ୍ତ ଚରଣ ସାହୁ, ଉପସଭାପତି ସମ୍ସାଦ ଅଲ୍ଲୀ, ସାଧାରଣ ସମ୍ପାଦକ ଅଭିଷେକ ଜେନା ଓ କୋଷାଧ୍ୟକ୍ଷ ଲିଙ୍ଗରାଜ ବେହେରାଙ୍କ ନେତୃତ୍ୱରେ ବାଲିଯାତ୍ରାରେ ସାମିଲ କରିବାର ଉଦ୍ୟମ କରାଯାଉଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button