Asian Para Games: ଏସୀୟ ପାରା ଗେମ୍ସରେ ଚମକିଲେ ସୁବର୍ଣ୍ଣା ଓ ସ୍ୱାତି, ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ; ତୀରନ୍ଦାଜରେ ରୌପ୍ୟ

ନୂଆଦିଲ୍ଲୀ, ୨୧।୧୦: ଏସୀୟ ପାରା ଗେମ୍ସରେ ଭାରତୀୟ ଆଥଲେଟ୍ସମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତର ସୁବର୍ଣ୍ଣା ରାଜ ମହିଳା F54 ଡିସ୍କସ୍ ଥ୍ରୋ ଇଭେଣ୍ଟରେ ୧୫.୬୬ ମିଟରର ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ତୀରନ୍ଦାଜର W1 ବର୍ଗରେ ସ୍ୱାତି ଚୌଧୁରୀ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । F54 ଡିସ୍କସ୍ ଥ୍ରୋ ଇଭେଣ୍ଟରେ ସୁବର୍ଣ୍ଣା ରାଜ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ନିଜର ଛଅଟି ପ୍ରୟାସ ମଧ୍ୟରୁ ଚାରିଥର ଡିସ୍କସ୍କୁ ୧୫ ମିଟରରୁ ଅଧିକ ଦୂରକୁ ଫିଙ୍ଗିଥିଲେ । ପଞ୍ଚମ ପ୍ରୟାସରେ ସେ ୧୫.୬୬ ମିଟର ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଏହି ଇଭେଣ୍ଟରେଇରାନର ଶେହଲା ହାଦିଦି ୧୫.୪୫ ମିଟର ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିବା ବେଳେ, ଭିଏତନାମର ଥି ନଗୋକ୍ ଥୁୟ ଗୁପେନ୍ ୧୪.୬୫ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି । F54 ଶ୍ରେଣୀଟି ଏଭଳି ଦିବ୍ୟାଙ୍ଗ ଆଥଲେଟ୍ମାନଙ୍କ ପାଇଁ ଯେଉଁମାନେ ହ୍ୱିଲ୍ ଚେୟାରରେ ବସି କିମ୍ୱା ବସିବା ଅବସ୍ଥାରେ ପ୍ରତିଯୋଗିତା କରନ୍ତି ଏବଂ ସେମାନଙ୍କ ଶରୀରର ଉପର ଭାଗ ଏବଂ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ ।
ତୀରନ୍ଦାଜୀରେ ସ୍ୱାତି ଚୌଧୁରୀଙ୍କ ରୌପ୍ୟ ପଦକ:
ଅନ୍ୟ ଏକ ଉଲ୍ଲେଖନୀୟ ସଫଳତାରେ, ସ୍ୱାତି ଚୌଧୁରୀ ଏସୀୟ ପାରା ଗେମ୍ସର ଆର୍ଚରୀ W1 ବର୍ଗରେ ଭାରତ ପାଇଁ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ବ୍ୟକ୍ତିଗତ ଫାଇନାଲ୍ ମୁକାବିଲାରେ ସେ ଚୀନର ସେନ୍ ମେଙ୍ଗକାନଙ୍କ ବିରୁଦ୍ଧରେ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୪-୬ ସେଟ୍ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି । ମିରଟର ୩୭ ବର୍ଷୀୟା ସ୍ୱାତି ମ୍ୟାଚ୍ର ପ୍ରଥମ ଭାଗରେ ଭଲ ପ୍ରଦର୍ଶନ କରି ୪-୨ ର ଅଗ୍ରଣୀ ହାସଲ କରିଥିଲେ । ମାତ୍ର ଶେଷ ଆଡ଼କୁ ଚୀନ ପ୍ରତିଯୋଗୀ ଜୋରଦାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତି ନେଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱାତି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ‘W1’ ଶ୍ରେଣୀରେ ପ୍ରତିଯୋଗିତା କରନ୍ତି, ଯାହାକି ଟେଟ୍ରାପ୍ଲେଜିଆ ଭଳି ଗମ୍ଭୀର ସ୍ଥିତିରେ ଥିବା ଆଥଲେଟ୍ମାନଙ୍କ ପାଇଁ ଉଦ୍ଦିଷ୍ଟ ।
ସୌଜନ୍ୟ ପ୍ରମେୟ




