Chief Minister: ଗୋଲ୍ଟେବୁଲ ବୈଠକରେ ଭରସା ଦେଲେ ମୁଖ୍ୟମନ୍ତ୍ରୀ: ସହଯୋଗ ଦେବୁ, ନିବେଶ କର
ରାଜ୍ୟକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର କରିବା ନେଇ ପଦକ୍ଷେପ ନିଆଯାଉଛି। ୨୦୪୦ ସୁଦ୍ଧା ଭାରତ ୧ ଟ୍ରିଲିୟନ୍ ଡଲାରର କେମିକାଲ୍ ଅର୍ଥନୀତିରେ ପରିଣତ ହେବା ଲକ୍ଷ୍ୟ ରଖିଛି।

ମୁମ୍ବାଇ/ଭୁବନେଶ୍ୱର: ରାଜ୍ୟକୁ ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍ଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର କରିବା ନେଇ ପଦକ୍ଷେପ ନିଆଯାଉଛି। ୨୦୪୦ ସୁଦ୍ଧା ଭାରତ ୧ ଟ୍ରିଲିୟନ୍ ଡଲାରର କେମିକାଲ୍ ଅର୍ଥନୀତିରେ ପରିଣତ ହେବା ଲକ୍ଷ୍ୟ ରଖିଛି। ଏହାକୁ ସାକାର କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଓ ସମୃଦ୍ଧ ଓଡ଼ିଶାର ଅଂଶୀଦାର ହେବାକୁ ଆହ୍ୱାନ ଦେଇଛନ୍ତି। ଖଣିଭିତ୍ତିକ ଅର୍ଥନୀତିରୁ ଏକ ରସାୟନଭିତ୍ତିକ ଶିଳ୍ପ ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ନେଇ ରାଜ୍ୟର ଆଭିମୁଖ୍ୟକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ରାଜ୍ୟର ଖଣିଜ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି ଏବଂ ନୂତନ ନିବେଶ ସୁଯୋଗଗୁଡ଼ିକୁ କାମରେ ଲଗାଇ ଏହି ରୂପାନ୍ତରଣ କରାଯିବ ବୋଲି ସେ ମତ ଦେଇଛନ୍ତି। ମୁମ୍ବାଇର ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ ‘ଇଣ୍ଡିଆ କେମ୍ ୨୦୨୬’ର ଚତୁର୍ଦ୍ଦଶ ସଂସ୍କରଣ ଆଜି ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ‘ଫିକି’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଶିଳ୍ପ ମହାକୁମ୍ଭରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ମତ ରଖିଛନ୍ତି।
ରାଜ୍ୟରେ ଶାସନ ଗାଦିକୁ ବିଜେପି ଆସିବା ପରେ ଗତ ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଛି। ଏଗୁଡ଼ିକରେ ପ୍ରାୟ ୩.୫୨ ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି। ରାଜ୍ୟରେ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ପ୍ରାପ୍ତ ହୋଇଛି, ଯେଉଁଥିରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହାଇ-ଲେଭେଲ୍ କ୍ଲିୟରାନ୍ସ ଅଥରିଟି (ଏଚ୍ଏଲ୍ସିଏ) ଅନୁମୋଦନ ପ୍ରଦାନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଗତ ସେପ୍ଟେମ୍ବରରେ ୟୁଏଇଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେଠାରୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି, ଯେଉଁଥିରେ ଆନ୍ତର୍ଜାତିକ ହୋଲ୍ଡିଂ କମ୍ପାନି (ଆଇଏଚ୍ସି)ରୁ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅନେକ କେମିକାଲ୍ସ, ପେଟ୍ରୋକେମିକାଲ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସହିତ ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଉପସ୍ଥିତ ଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ସିଇଓ ଗୋଲ୍ ଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ରସାୟନ ଏବଂ ପେଟ୍ରୋରସାୟନ କ୍ଷେତ୍ରରେ ଥିବା ବିପୁଳ ନିବେଶ ସୁଯୋଗକୁ ବିଶ୍ୱର ନିବେଶକମାନଙ୍କ ସମୁଖରେ ଉପସ୍ଥାପନ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିଶ୍ୱର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ଉତ୍ପାଦନ ୟୁନିଟ୍ ସ୍ଥାପନ ଏବଂ ଡାଉନ୍ଷ୍ଟ୍ରିମ୍ ଶିଳ୍ପର ପ୍ରସାର ପାଇଁ ଆମନ୍ତ୍ରଣ କରିଥିଲେ।
ଗୋଲ୍ ଟେବୁଲ ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିବେଶକଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଓଡ଼ିଶା ସରକାର କେବଳ ଶିଳ୍ପ ପ୍ରତିଷ୍ଠା ପାଇଁ ଆମନ୍ତ୍ରଣ କରୁନାହାନ୍ତି, ବରଂ ନିବେଶର ସମ୍ପୂର୍ଣ୍ଣ କାଳଖଣ୍ଡରେ ନିବେଶକମାନଙ୍କ ପ୍ରକୃତ ସହଯୋଗୀ ଭାବେ କାର୍ଯ୍ୟ କରିବେ। ଜମି ଚିହ୍ନଟ, ଭିତ୍ତିଭୂମି ଯୋଜନା, ଆବଶ୍ୟକ ସରକାରୀ ମଞ୍ଜୁରିଠାରୁ ଆରମ୍ଭ କରି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ବାଣିଜ୍ୟିକ ଉତ୍ପାଦନ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ରାଜ୍ୟ ସରକାର ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ଯୋଗାଇ ଦେବେ।
‘ଇଣ୍ଡିଆ କେମ୍’ରେ ଶିଳ୍ପପତିଙ୍କୁ ଆମନ୍ତ୍ରଣ
ଓଡ଼ିଶାର ଭୂମିକାକୁ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କ ପ୍ରଶଂସା
ରାଜ୍ୟରେ ଶିଳ୍ପ ନିବେଶ କ୍ଷେତ୍ର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ବନ୍ଦରଭିତ୍ତିକ ଶିଳ୍ପ ପାଇଁ ପାରାଦୀପ, ଧାମରା ଓ ଗୋପାଳପୁର ଅତ୍ୟନ୍ତ ଉପଯୁକ୍ତ ହୋଇଥିବା ବେଳେ ଧାତୁ, କୋଇଲା, ଶକ୍ତି ଏବଂ ଆଭ୍ୟନ୍ତରୀଣ ବଜାର ଚାହିଦାକୁ ନଜରରେ ରଖି ଅନୁଗୋଳ ଓ ଢେଙ୍କାନାଳରେ ପ୍ରକଳ୍ପ ସ୍ଥାପନର ପ୍ରଚୁର ସୁଯୋଗ ରହିଛି। ଏହାସହ ପାରାଦୀପ ପିସିପିଆଇଆର୍, ଇଣ୍ଡିଆନ୍ ଅଏଲ୍ର ୧୫ ଏମ୍ଏମ୍ଟିପିଏ ରିଫାଇନାରି ଏବଂ ପ୍ଲାଷ୍ଟିକ୍ ପାର୍କ ପଲିମର, ପ୍ୟାକେଜିଂ, ଟେକ୍ସଟାଇଲ୍ସ ଓ ଅନ୍ୟାନ୍ୟ ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଏକ ମଜଭୁତ ଆଧାର ପ୍ରଦାନ କରୁଛି। ନିବେଶକମାନେ କୋଇଲାରୁ ରସାୟନ, ସ୍ପେସାଲଟି କେମିକାଲ୍ସ, ଫ୍ଲୋରୋକେମିକାଲ୍ସ, ବ୍ୟାଟେରି ମ୍ୟାଟେରିଆଲ୍ସ, ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ଭଳି ଭବିଷ୍ୟତ-ପ୍ରଯୁକ୍ତି ଭିତ୍ତିକ କ୍ଷେତ୍ରଗୁଡ଼ିକରେ ନିବେଶ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ପରିବେଶ ଓ ସୁରକ୍ଷା ମାନଦଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି ଯେ ଓଡ଼ିଶା ସରକାର ସ୍ୱଚ୍ଛତା, ସୁରକ୍ଷା ଏବଂ ଦାୟିତ୍ୱବାନ ପରିବେଶ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ‘ରେଡ୍-କାଟେଗୋରି’ ଶିଳ୍ପଗୁଡ଼ିକୁ ସ୍ୱାଗତ କରିବା ପାଇଁ ‘ରେଡ୍ କାର୍ପେଟ୍’ ବିଛାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସିଙ୍ଗଲ୍ ୱିଣ୍ଡୋ ପ୍ରଣାଳୀ ଏବଂ ଗୋପାଳପୁର ଭଳି ପ୍ରାକ୍-ଅନୁମୋଦିତ ପରିବେଶ ମଞ୍ଜୁରିପ୍ରାପ୍ତ ସ୍ଥାନଗୁଡ଼ିକ ମାଧ୍ୟମରେ ପ୍ରକଳ୍ପ ସମ୍ପାଦନ ସମୟ କମାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଓଡ଼ିଶା ସରକାରଙ୍କ ଶିଳ୍ପ ସମ୍ପ୍ରସାରଣ ଟିମ୍ (ଟିମ୍ ଓଡ଼ିଶା) ଏବଂ ଇପିକଲ୍ ସହ ଯୋଗାଯୋଗ କରି ନିଜର ଆବଶ୍ୟକତା ଜଣାଇବାକୁ କହିଥିଲେ। କେବଳ ନିବେଶ ଆଗ୍ରହରେ ସୀମିତ ନରହି, ଓଡ଼ିଶା ଆସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବାସ୍ତବ ଉତ୍ପାଦନ ଆରମ୍ଭ କରିବାକୁ ସେ ବିଶ୍ୱର ଶିଳ୍ପପତିମାନଙ୍କୁ କହିଛନ୍ତି। ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ନିଜର ଭିତ୍ତିଭୂମି ଓ ସମ୍ବଳର ବ୍ୟବହାର କରି ବିଶ୍ୱ ନିବେଶକଙ୍କୁ ଆକୃଷ୍ଟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ନଡ୍ଡା ଏହାର ପ୍ରଶଂସା କରିଥିଲେ। ଏହି ବୈଠକରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଓଡ଼ିଶା ସରକାରଙ୍କ ଶିଳ୍ପ, ଗୃହ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍ର ପ୍ରବନ୍ଧ ନିର୍ଦ୍ଦେଶିକା ଆବୋଲି ସୁନୀଲ ନାରଭାଣେଙ୍କ ସମେତ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ଶିଳ୍ପପତି, ସିଇଓ, ବାଣିଜ୍ୟିକ ପ୍ରତିନିଧି ଏବଂ ସରକାରୀ ଉଚ୍ଚାଧିକାରୀମାନେ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




