ରାଜ୍ୟ

Polavaram: ପୋଲାଭରମ୍‌କୁ ନେଇ ତେଜିଲା ଜନଅସନ୍ତୋଷ: ଛତିଶଗଡ଼ରେ ବିଶାଳ ପ୍ରଜାମେଳି, ୧୮ ଗାଁ ଜଳମଗ୍ନ ଆଶଙ୍କା

ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଓଡ଼ିଶାରେ ବିରୋଧର ସ୍ୱର ତୀବ୍ର ହେଉଥିବା ବେଳେ ଏବେ ସୀମାନ୍ତ ଛତିଶଗଡ଼ରେ ମଧ୍ୟ ତେଜିଛି ଜନ ଆନ୍ଦୋଳନ। ପ୍ରକଳ୍ପ ଯୋଗୁଁ ଭିଟାମାଟି, ଚାଷଜମି ଓ ଜଙ୍ଗଲ ସମ୍ପଦ ହରାଇବା ଆଶଙ୍କା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି।

ମାଲକାନଗିରି: ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଓଡ଼ିଶାରେ ବିରୋଧର ସ୍ୱର ତୀବ୍ର ହେଉଥିବା ବେଳେ ଏବେ ସୀମାନ୍ତ ଛତିଶଗଡ଼ରେ ମଧ୍ୟ ତେଜିଛି ଜନ ଆନ୍ଦୋଳନ। ପ୍ରକଳ୍ପ ଯୋଗୁଁ ଭିଟାମାଟି, ଚାଷଜମି ଓ ଜଙ୍ଗଲ ସମ୍ପଦ ହରାଇବା ଆଶଙ୍କା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି। ବିସ୍ଥାପନ, ଥଇଥାନ ଓ କ୍ଷତିପୂରଣକୁ ନେଇ ଅନିଶ୍ଚିତତା ମଧ୍ୟରେ ଛତିଶଗଡ଼ର ସୁକମା ଜିଲ୍ଲା କୋଣ୍ଟାରେ ପ୍ରକଳ୍ପ ବିରୋଧରେ ଆୟୋଜିତ ହୋଇଛି ବିଶାଳ ପ୍ରଜାମେଳି। ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ଦାବିରେ ଏକାଠି ହୋଇଛନ୍ତି ଶତାଧିକ ଅଞ୍ଚଳବାସୀ। ପୂର୍ବତନ ବିଧାୟକ ମନୀଷ କୁଞ୍ଜମଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମାବେଶରେ ପୋଲାଭରମ୍‌ ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରକଳ୍ପ ନିର୍ମାଣ ଯୋଗୁଁ ନିଜ ଅଞ୍ଚଳରେ ବ୍ୟାପକ ଜଳମଗ୍ନ ସ୍ଥିତି ସୃଷ୍ଟି ହେବା ସହ ଅନେକ ପରିବାର ବିସ୍ଥାପିତ ହେବାର ଆଶଙ୍କା ଥିବାରୁ ଲୋକେ ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପ ଯୋଗୁଁ ପ୍ରାୟ ୧୮ଟି ଗାଁ ପ୍ରଭାବିତ ହେବା ସହ ୫ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ଫଳରେ ଅନେକ ପରିବାର ନିଜର ପୈତୃକ ଭିଟାମାଟି, ଚାଷଜମି ଓ ଜଙ୍ଗଲଜାତ ସମ୍ପଦ ହରାଇ ପାରନ୍ତି। ଏହା ସେମାନଙ୍କ ଜୀବିକା ଓ ଭବିଷ୍ୟତ ପ୍ରତି ଗୁରୁତର ଆହ୍ୱାନ ସୃଷ୍ଟି କରିଛି। ସମ୍ଭାବ୍ୟ ବିସ୍ଥାପିତଙ୍କ ଥଇଥାନ ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନେଇ ସ୍ପଷ୍ଟ ବ୍ୟବସ୍ଥା ନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ପରିବାରଗୁଡ଼ିକର ଅଧିକାର ସୁରକ୍ଷା ସହ ଉପଯୁକ୍ତ ଥଇଥାନ ଓ ନ୍ୟାୟସଙ୍ଗତ କ୍ଷତିପୂରଣ ସୁନିଶ୍ଚିତ କରିବାକୁ ପ୍ରଜାମେଳିରେ ଦାବି ହୋଇଥିଲା। ଏଥିସହ ଅଞ୍ଚଳର ଅନ୍ୟାନ୍ୟ ମୌଳିକ ସମସ୍ୟା ମଧ୍ୟ ଉଠିଥିଲା। ଲୋକଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଓଡ଼ିଶାରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଛତିଶଗଡ଼ରେ ଏହି ପ୍ରସଙ୍ଗରେ ଆଇନଗତ ପଦକ୍ଷେପ ନିଆଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଆନ୍ଧ୍ରପ୍ରଦେଶରେ କ୍ଷତିପୂରଣ ପ୍ରଦାନକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଥିବା ବେଳେ ପ୍ରକଳ୍ପ ଯୋଗୁଁ ତେଲେଙ୍ଗାନାର କିଛି ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ପୋଲାଭରମ୍‌କୁ ନେଇ ବିଭିନ୍ନ ରାଜ୍ୟରେ ଉଠୁଥିବା ବିରୋଧ ଓ ପ୍ରଭାବିତ ଲୋକଙ୍କ ଦାବି ପ୍ରତି ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button