ରାଜ୍ୟ

Pregnancy: ଗର୍ଭାବସ୍ଥାରେ ସିକିଲ୍‌ସେଲ୍‌ ରୋଗ ପରିଚାଳନା ନେଇ ସ୍ବତନ୍ତ୍ର ପ୍ରୋଟୋକଲ

ସାଧାରଣ ଗର୍ଭାବସ୍ଥା ତୁଳନାରେ ସିକିଲ୍‌ସେଲ୍ ପୀଡ଼ିତା ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ ଜଟିଳତା ଅଧିକ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହାକୁ ବହୁ ମାତ୍ରାରେ ହ୍ରାସ କରାଯାଇପାରିବ।

ଭୁବନେଶ୍ବର: ସାଧାରଣ ଗର୍ଭାବସ୍ଥା ତୁଳନାରେ ସିକିଲ୍‌ସେଲ୍ ପୀଡ଼ିତା ମହିଳାଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ ଜଟିଳତା ଅଧିକ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହାକୁ ବହୁ ମାତ୍ରାରେ ହ୍ରାସ କରାଯାଇପାରିବ। ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ କରିବା ପାଇଁ ସରକାର ‘ଗର୍ଭାବସ୍ଥାରେ ସିକିଲ୍‌ସେଲ୍ ରୋଗର ପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ୍’ ପ୍ରଣୟନ କରିଛନ୍ତି। ଏଭଳି ସ୍ୱତନ୍ତ୍ର ପଦକ୍ଷେପ ନେବାରେ ଓଡ଼ିଶା ଦେଶରେ ପ୍ରଥମ। ଜାତୀୟ ସ୍ୱାସ୍ଥ୍ୟ ମିସନ (ଏନ୍‌ଏଚ୍‌ଏମ୍‌), ରକ୍ତ ନିରାପତ୍ତା ନିର୍ଦ୍ଦେଶାଳୟ ଓ ୟୁନିସେଫ୍, ଓଡ଼ିଶା ମିଳିତ ଆନୁକୂଲ୍ୟରେ ‘ଗର୍ଭାବସ୍ଥାରେ ସିକିଲ୍‌ସେଲ୍‌ ରୋଗ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସମୀକ୍ଷା ଓ କର୍ମଶାଳା ଅନୁଷ୍ଠିତ ହୋଇଛି। ୨୧ରୁ ଅଧିକ ପ୍ରଭାବିତ ଜିଲ୍ଲାର ସିଡିଏମ୍‌ଓ ଓ ସହକାରୀ ପ୍ରବନ୍ଧକ(ଏନ୍‌ସିଡି)ଙ୍କୁ ସଚେତନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।

ଓଡ଼ିଶା‌ ଦେଶରେ ପ୍ରଥମ, ମାତୃ ମୃତ୍ୟୁ ହାର ରୋକିବାରେ ସହାୟକ ହେବ

ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜର ବିଶେଷଜ୍ଞ, ଏନ୍‌ଏଚ୍‌ଏମ୍‌, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଏହି ପ୍ରୋଟୋକଲ୍ ପ୍ରସ୍ତୁତ ହୋଇଛି। ଏଥିରେ ବିଭିନ୍ନସ୍ତରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ଉପଯୁକ୍ତ କ୍ଲିନିକାଲ୍ ମାର୍ଗଦର୍ଶିକା ଓ ନିର୍ଦ୍ଦିଷ୍ଟ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି। କାର୍ଯ୍ୟକ୍ରମରେ ଏନ୍‌ଏଚ୍‌ଏମ୍‌ର ଭାରପ୍ରାପ୍ତ ମିସନ ନିର୍ଦ୍ଦେଶକ ହରିଶ ଚନ୍ଦ୍ର ନାୟକ, ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡା. ସଞ୍ଜୟ କୁମାର ମହାପାତ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଷ୍ଣୁ ପ୍ରସାଦ ମହାପାତ୍ର, ଏସ୍‌ଏଚ୍‌ଏସ୍‌ଆର୍‌ସି ଟିମ୍‌ ଲିଡର ଡା. ବିଜୟ ମହାପାତ୍ର, ମାତୃ ସ୍ୱାସ୍ଥ୍ୟ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ମୁରଲୀଧର ପାଢ଼ୀ ଓ ୟୁନିସେଫ୍ ଓଡ଼ିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ମୀନା ସୋମ ପ୍ରମୁଖ ଉପସ୍ଥିତ ଥିଲେ। ୱିଲିୟମ ଜେ କ୍ଲିଣ୍ଟନ ଫାଉଣ୍ଡେସନ ଭଳି ପ୍ରମୁଖ ସହଯୋଗୀ ସଂସ୍ଥାର କର୍ମକର୍ତ୍ତା ଏହି ଆଲୋଚନାରେ ଯୋଗ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button