ଦେଶ ବିଦେଶ

Tribal: ନକ୍ସଲମୁକ୍ତ ଛତିଶଗଡ଼ ଓ ଆଦିବାସୀଙ୍କ ପ୍ରକୃତି ପ୍ରୀତିକୁ ପ୍ରଶଂସା କଲେ ରାଷ୍ଟ୍ରପତି

ଦୀର୍ଘ ଦିନର ମାଓବାଦୀ ହିଂସାରୁ ମୁକ୍ତ ହୋଇ ଛତିଶଗଡ଼ ଏବେ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାୟପୁର: ଦୀର୍ଘ ଦିନର ମାଓବାଦୀ ହିଂସାରୁ ମୁକ୍ତ ହୋଇ ଛତିଶଗଡ଼ ଏବେ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହ ଆଧୁନିକ ସମୟରେ ପରିବେଶ ସୁରକ୍ଷା ପାଇଁ ଆଦିବାସୀ ସମ୍ପ୍ରଦାୟର ପ୍ରକୃତି ଅନୁକୂଳ ଜୀବନଶୈଳୀରୁ ଶିକ୍ଷା ନେବାକୁ ସେ ଆହ୍ବାନ ଦେଇଛନ୍ତି।

ଶୁକ୍ରବାର ବସ୍ତର ଦଶହରା ଅବସରରେ ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ଦୀର୍ଘ ବର୍ଷ ଧରି ନକ୍ସଲବାଦ ଯୋଗୁଁ ବସ୍ତର ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ବିକାଶ ବାଧାପ୍ରାପ୍ତ ହୋଇଥିଲା। ଏବେ ଶାନ୍ତି ଫେରିବା ସହ ଅଞ୍ଚଳରେ ପ୍ରଗତିର ନୂଆ ସୁଯୋଗ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଆଦିବାସୀ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏବଂ ସେମାନଙ୍କ ଉତ୍ପାଦକୁ ବ୍ୟାପକ ବଜାର ସହ ଯୋଡ଼ିବା ପାଇଁ ପଦକ୍ଷେପ ତ୍ବରାନ୍ବିତ ହୋଇଛି। ଏହାଦ୍ବାରା ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଦେଶର ବିକାଶରେ ସେମାନଙ୍କ ଭାଗୀଦାରି ବଢ଼ିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ପାଇଁ ସମାନ ଓ ସମାବେଶୀ ବିକାଶ ଜରୁରି ବୋଲି ସେ ମତ ଦେଇଛନ୍ତି।

ପ୍ରକୃତି ସୁରକ୍ଷା ପ୍ରସଙ୍ଗରେ ମୁର୍ମୁ କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟ ଗଛଲତା ଓ ପ୍ରକୃତିକୁ ଜୀବନଦାୟିନୀ ଶକ୍ତି ଭାବେ ପୂଜା କରନ୍ତି। ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସମ୍ପଦରୁ ମଣିଷ ଜଳ, ବାୟୁ ଓ ଖାଦ୍ୟ ପାଉଥିବାରୁ ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ବ। ପ୍ରକୃତିରୁ ଯାହା ନେଉଛେ, ତାହାର ପୁନଃଭରଣ କରିବା ମଧ୍ୟ ଆମର କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ଜଗଦଲପୁରର ମା’ ଦନ୍ତେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ଐତିହାସିକ ମୁରିଆ ଦରବାରରେ ମାଞ୍ଝି ଓ ଚାଲକିଙ୍କ ସମେତ ପାରମ୍ପରିକ ଆଦିବାସୀ ନେତାଙ୍କ ସହ ଆଲୋଚନା କରିଥିଲେ। ବସ୍ତର ଦଶହରା ପ୍ରଦର୍ଶନୀ ବୁଲି ସ୍ଥାନୀୟ କାରିଗରଙ୍କ କଳାକୃତିର ମଧ୍ୟ ପ୍ରଶଂସା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button