Protest against SIR in Delhi: ଦିଲ୍ଲୀରେ ଏସ୍ଆଇଆର୍ ବିରୋଧୀ ବିକ୍ଷୋଭ: ଜ୍ଞାନେଶଙ୍କ କାର୍ଯ୍ୟାଳୟ ନିକଟରେ ହଙ୍ଗାମା
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ବିରୋଧ କରି ଶୁକ୍ରବାର ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ଏକ ପଦଯାତ୍ରାକୁ ଦିଲ୍ଲୀ ପୁଲିସ ଅଧାରୁ ଅଟକାଇବା ସହ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ବିରୋଧ କରି ଶୁକ୍ରବାର ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ଏକ ପଦଯାତ୍ରାକୁ ଦିଲ୍ଲୀ ପୁଲିସ ଅଧାରୁ ଅଟକାଇବା ସହ ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। କେନ୍ଦ୍ରୀୟ ଦିଲ୍ଲୀର କାଳୀବାଡ଼ି ମାର୍ଗ ଏବଂ ଭାଇ ବୀର ସିଂହ ମାର୍ଗ ଛକରେ ଥିବା ଗୋଲ୍ ଡାକଖାନା ନିକଟରୁ ସିଜେପି ଓ ‘ପିପୁଲ୍ସ ଏଗ୍ନେଷ୍ଟ ଏସ୍ଆଇଆର୍’ ସଂଗଠନର ଦିଲ୍ଲୀ ସମନ୍ୱୟ କମିଟି ଆହ୍ୱାନରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ସେହି ଅଞ୍ଚଳରେ ଜନସମାବେଶକୁ ନିଷେଧ କରୁଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଲାଗୁ କରାଯାଇଥିବା ନେଇ ସୂଚନା ମିଳିଛି। ରାଜଧାନୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀ ପୁଲିସ ସମେତ ତ୍ବରିତ କାର୍ଯ୍ୟାନୁଷ୍ଠାନ ବାହିନୀ (ଆରଏଏଫ୍) ଯବାନଙ୍କୁ ମଧ୍ୟ ବହୁ ସଂଖ୍ୟାରେ ମୁତୟନ କରାଯାଇଥିଲା।
ଆନ୍ଦୋଳନକାରୀମାନେ ହାତରେ ଜାତୀୟ ପତାକା ଏବଂ ବ୍ୟାନର ଧରି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନବାଜି କରିଥିଲେ। ‘ଜ୍ଞାନେଶ କୁମାର ଇସ୍ତଫା ଦିଅ’, ‘ଭୋଟ ଚୋରି ଚଳିବ ନାହିଁ’ ଭଳି ସ୍ଲୋଗାନ ଦେଇ ସଂଶୋଧନ ପ୍ରକ୍ରିୟାରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପଦଯାତ୍ରାରେ ଛାତ୍ର, ଯୁବକ, ଚାଷୀମାନଙ୍କ ସମେତ ସିପିଆଇଏମ୍ର ବରିଷ୍ଠ ନେତ୍ରୀ ବୃନ୍ଦା କାରାତ, ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ସ ଆସୋସିଏସନ (ଆଇଡିଡବ୍ଲୁଏ) ଏବଂ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏଆଇଡିଏସ୍ଓ)ର ସଦସ୍ୟମାନେ ସାମିଲ ହୋଇଥିଲେ। ଏଥିସହ ଦିଲ୍ଲୀ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ‘କ୍ରାନ୍ତିକାରୀ ଯୁବ ସଂଗଠନ’ (କେୱାଇଏସ୍) ଓ ଷ୍ଟୁଡେଣ୍ଟସ ଫେଡେରେସନ୍ ଅଫ ଇଣ୍ଡିଆ (ଏସ୍ଏଫ୍ଆଇ)ର କର୍ମକର୍ତ୍ତାମାନେ ଏହାକୁ ସମର୍ଥନ ଜଣାଇଥିଲେ।
ଶତାଧିକ ଆନ୍ଦୋଳନକାରୀ ଅଟକ
ନିଷେଧାଦେଶ ଜାରି ସହ କେନ୍ଦ୍ରୀୟ ବାହିନୀ ମୁତୟନ
ପୁଲିସ ପ୍ରତିବନ୍ଧକ ଲଗାଇବା ପରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ରାଜପଥ ଉପରେ ବସି ରହି ଏକ ‘ଜନ ସଂସଦ’ ପରିଚାଳନା କରିଥିଲେ। ଏହି ଅବସରରେ ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ ଏହି ଲଢ଼େଇ କେବଳ ଯନ୍ତରମନ୍ତର ଫେରି ପାଇବା ପାଇଁ ନୁହେଁ, ବରଂ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଅଟେ। ଯନ୍ତରମନ୍ତରକୁ ବିକ୍ଷୋଭସ୍ଥଳ ତାଲିକାରୁ ବାଦ୍ ଦିଆଯାଇଥିବାରୁ ଏବେ ଦେଶର ପ୍ରତ୍ୟେକ ରାସ୍ତା ଯନ୍ତରମନ୍ତରରେ ପରିଣତ ହେବ ବୋଲି ଅନ୍ୟ ଜଣେ ନେତା ଚେତାବନୀ ଦେଇଛନ୍ତି। ଏହି ବିରୋଧ ପ୍ରଦର୍ଶନକୁ ସାରା ଦେଶରେ ବ୍ୟାପକ କରିବା ପାଇଁ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ଆରମ୍ଭ କରାଯାଇଛି।
ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ୧୮ଟି ରାଜ୍ୟର ପ୍ରାୟ ୮୮ଟି ସହରରେ ୧୪୫ଟି ସଂଗଠନ ପକ୍ଷରୁ ବିକ୍ଷୋଭର ଯୋଜନା ପ୍ରସ୍ତୁତ କରାଯାଇଛି।
ସୌଜନ୍ୟ ସମ୍ବାଦ




