ଦେଶ ବିଦେଶ

Congress: ନଭେମ୍ବର ୧ରେ ରାମଲୀଳା ମୈଦାନରେ କଂଗ୍ରେସର ‘ଭୋଟ୍ ବଞ୍ଚାଅ’ ମହାସମାବେଶ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଓ ନିର୍ବାଚନ ପ୍ରକ୍ରିୟାରେ କଥିତ ଅନିୟମିତତାକୁ ନେଇ କଂଗ୍ରେସ ଆସନ୍ତା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ନାମରେ ଏକ ବିଶାଳ ସମାବେଶ କରିବ।

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଓ ନିର୍ବାଚନ ପ୍ରକ୍ରିୟାରେ କଥିତ ଅନିୟମିତତାକୁ ନେଇ କଂଗ୍ରେସ ଆସନ୍ତା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ନାମରେ ଏକ ବିଶାଳ ସମାବେଶ କରିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ଘୋଷଣା କରିଛନ୍ତି। ଏହି ସମାବେଶରେ ଭାରତୀୟ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଦଳ ନିଜର ଆପତ୍ତି ଉଠାଇବ। ଏହା ସହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯିବ।

ଖଡ଼ଗେ ଅଭିଯୋଗ କରିଛନ୍ତି ଯେ, ଦେଶର ଲକ୍ଷ ଲକ୍ଷ ନାଗରିକଙ୍କ ଭୋଟ୍ ଦେବାର ସାମ୍ବିଧାନିକ ଅଧିକାର ବିପଦରେ ରହିଛି। ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ୁଥିବା ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ଜନସାଧାରଣଙ୍କୁ ଏକାଠି ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ସମାବେଶରେ ବିରୋଧୀ ଇଣ୍ଡିମେଣ୍ଟର ଅନ୍ୟ ଦଳଗୁଡ଼ିକର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ତେଣେ କଂଗ୍ରେସ ସମାବେଶର ଦିନକ ପରେ, ନଭେମ୍ବର ୨ ତାରିଖରେ ତେଲେଙ୍ଗାନାରେ ବିଜେପି ଏକ ପଦଯାତ୍ରା କରିବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ ବୋଲି ତେଲେଙ୍ଗାନା ବିଜେପି ସଭାପତି ଏନ୍‌ ରାମଚନ୍ଦର ରାଓ ସୋମବାର କହିଛନ୍ତି। ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ବାର୍ତ୍ତା ନେଇ ଏହି ପଦଯାତ୍ରା ଆୟୋଜନ କରାଯିବ। ରାଓ କଂଗ୍ରେସ ଉପରେ ଏସ୍‌ଆଇଆର୍‌କୁ ନେଇ ଭ୍ରମାତ୍ମକ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିବା ନେଇ କଂଗ୍ରେସର ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଯୋଗ୍ୟ ଭୋଟରଙ୍କ ନାମ ଭୁଲ୍‌ରେ ବାଦ୍ ପଡ଼ିଥିଲେ, ସେମାନେ ପୁଣି ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ ବୋଲି ସେ କହିଛନ୍ତି। ଭୋଟର ତାଲିକା ସଂଶୋଧନକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ମୁକାବିଲା ତୀବ୍ର ହେଉଥିବାବେଳେ ନଭେମ୍ବର ପହିଲାର ସମାବେଶ ଓ ପରଦିନର ପଦଯାତ୍ରା ଉପରେ ରାଜନୈତିକ ମହଲର ନଜର ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button