ଦେଶ ବିଦେଶ

Elections: ଜାମିଆରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ପୁଣି ଉତ୍ତେଜନା: ଅନେକ ଛାତ୍ରଛାତ୍ରୀ ଅଟକ

ଦୀର୍ଘ ପ୍ରାୟ ୨୦ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପ୍ରଶାସନ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ସୋମବାର କ୍ୟାମ୍ପସ୍‌ରେ ପୁଣି ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି।

ନୂଆଦିଲ୍ଲୀ: ଦୀର୍ଘ ପ୍ରାୟ ୨୦ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପ୍ରଶାସନ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ସୋମବାର କ୍ୟାମ୍ପସ୍‌ରେ ପୁଣି ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି। ନିର୍ବାଚନ ପ୍ରକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ଦାବିରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଏହି ସମୟରେ ଦିଲ୍ଲୀ ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି।
ସୋମବାର ପ୍ରାୟ ୧୦୦ ଛାତ୍ରୀ ବିଭିନ୍ନ ଫାଟକ ଦେଇ ବିଶ୍ୱବିଦ୍ୟାଳୟ ପରିସରକୁ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ ୭ ନମ୍ବର ଫାଟକ ନିକଟରେ ଏକାଠି ହୋଇଥିଲେ।

ଆନ୍ଦୋଳନକାରୀମାନେ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଜାମିଆ ମିଲିଆ ଇସଲାମିଆର ଛାତ୍ର ସଂସଦ ନିର୍ବାଚନ ୨୦୦୬ରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ନିର୍ବାଚିତ ପ୍ରତିନିଧି ନ ଥିବାରୁ ହଷ୍ଟେଲରେ ଆସନ ବଣ୍ଟନ, ଖାଦ୍ୟ ଓ ଅନ୍ୟାନ୍ୟ ସମସ୍ୟା ନେଇ ପ୍ରଶାସନ ନିକଟରେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବାରେ ଅସୁବିଧା ହେଉଛି। ଛାତ୍ର ସଂସଦ ଏହି ଅଭାବ ପୂରଣ କରିବ ବୋଲି ସେମାନେ ଆଶା ରଖିଛନ୍ତି।

ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ମହତାବ ଆଲମ ରିଜ୍‌ଭି ସୋମବାର ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି ଯେ ଛାତ୍ର ସଂସଦର ସମ୍ବିଧାନ ଅନୁମୋଦନ ହେବାର ୧୫ ଦିନ ମଧ୍ୟରେ ନିର୍ବାଚନ କରାଯିବ। ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ବିରୋଧରେ ଜାରି ନିଲମ୍ବନ ଆଦେଶ ଓ କାରଣ ଦର୍ଶାଅ ନୋଟିସ୍‌ ପ୍ରତ୍ୟାହାର କରାଯିବା ସହ ସୁରକ୍ଷା କର୍ମଚାରୀଙ୍କ ଆଚରଣର ତଦନ୍ତ ପାଇଁ କମିଟି ଗଠନ କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି। ତେବେ ସମ୍ବିଧାନ କେବେ ଅନୁମୋଦନ ହେବ ଏବଂ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ କେବେ ଘୋଷଣା ହେବ, ସେ ସମ୍ପର୍କରେ ସ୍ପଷ୍ଟତା ନ ଥିବାରୁ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button