ଚେନ୍ନାଇ: ଡିଏମ୍କେ ନେତା ତଥା ତାମିଲନାଡ଼ୁର ପୂର୍ବତନ ସ୍କୁଲ୍ ଶିକ୍ଷା ମନ୍ତ୍ରୀ ଅନବିଲ ମହେଶ ପୋୟାମୋଝି ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଆଜି ଗିରଫ ହୋଇଛନ୍ତି। ଘରୋଇ ସ୍କୁଲ୍କୁ ଲାଇସେନ୍ସ ଓ ସରକାରୀ ଅନୁମୋଦନ ଦେବା ବଦଳରେ ଲାଞ୍ଚ ଆଦାୟ କରିଥିବା ଅଭିଯୋଗରେ ଗ୍ରେଟର୍ ଚେନ୍ନାଇ ପୁଲିସର ସିସିବି (ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ୍) ତାଙ୍କୁ ଗିରଫ କରିଛି।
ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାରୀ ଅନୁମୋଦନ ଦେବାର ପ୍ରତିଶ୍ରୁତି ଦେଇ ଦଳୀୟ ପାଣ୍ଠି ନାମରେ ସେ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତରୁ ପ୍ରାୟ ୧୭୭ଟି ଘରୋଇ ସ୍କୁଲ୍ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା। ତଦନ୍ତକାରୀ ଅଧିକାରୀଙ୍କ ହାତରେ ମିଳିଥିବା ପ୍ରମାଣ ଆଧାରରେ ମହେଶଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି। ପୁଲିସ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରିଛି। ମାଡ୍ରାସ ହାଇକୋର୍ଟ ଆଜି ମହେଶଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫଦାରିରୁ ସୁରକ୍ଷା ପାଇଁ ସେ କରିଥିବା ଆବେଦନକୁ ଜଷ୍ଟିସ୍ ଭି ଲକ୍ଷ୍ମୀନାରାୟଣନ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସହିତ ନିଜ ବିରୋଧରେ ରୁଜୁ ଏତଲା ରଦ୍ଦ କରିବା ପାଇଁ ମହେଶ କରିଥିବା ପୃଥକ୍ ଆବେଦନରେ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ।
ମହେଶ ୨୦୨୧ରୁ ୨୦୨୬ ମଧ୍ୟରେ ସ୍କୁଲ୍ ଶିକ୍ଷା ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ଘରୋଇ ସ୍କୁଲ୍ ପରିଚାଳନା କମିଟିଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ସ୍କୁଲ୍ଗୁଡ଼ିକୁ ସ୍ଥାୟୀ ମାନ୍ୟତା ଓ ସରକାରୀ ଅନୁମୋଦନ ଦେବା ବଦଳରେ ଏହି ଅର୍ଥ ନିଆଯାଇଥିବା କୁହାଯାଉଛି। ଏହି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ଅର୍ଥ ହେରଫେର ନିବାରଣ ଆଇନ (ପିଏମ୍ଏଲ୍ଏ) ଅଧୀନରେ ମାମଲା ରୁଜୁ କରିଛି। ସେପ୍ଟେମ୍ବରରେ ମହେଶ ତଦନ୍ତ ପାଇଁ ସିସିବିରେ ହାଜର ହୋଇଥିଲେ। ଏହା ପୂର୍ବରୁ ସିସିବି ତାଙ୍କ ବାସଭବନରେ ୮ ଘଣ୍ଟା ଧରି ତଲାସି ଅଭିଯାନ ଚଳାଇଥିଲା। ଅନ୍ୟପକ୍ଷରେ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ୍ କରିବା ପାଇଁ ଟିଭିକେ ସରକାର ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରୁଥିବା ଡିଏମ୍କେ ଅଭିଯୋଗ କରିଛି।