Cricket: ଓଡ଼ିଶାକୁ ଘାଇଲା କଲେ ନାରଙ୍ଗ: ୧୯୪ରେ ଅଟକିଲା ସେନାପତି ବାହିନୀ, ସର୍ଭିସେସ୍ ପାଇଁ ଭଲ ସୁଯୋଗ
ବାହାରେ ବିଫଳ ହେବାର ଦୁଃଖକୁ ଘରେ ଦୂର କରିବେ ବୋଲି ଆଶା ଥିଲା। ହେଲେ ଘରୋଇ ପରିବେଶରେ ଓଡ଼ିଶା ରଣଜୀ ଦଳ ଆହୁରି ଶୋଚନୀୟ ବ୍ୟାଟିଂ କଲା। ପାଗ, ପରିବେଶ ଓ ପିଚ୍ ଅନୁକୂଳ ଥିଲେ ମଧ୍ୟ ଅତି ସାଧାରଣ ବ୍ୟାଟିଂ କରି ମାତ୍ର ୧୯୪ ରନ୍ରେ ଅଲଆଉଟ୍ ହୋଇଗଲା।

ଭୁବନେଶ୍ବର: ବାହାରେ ବିଫଳ ହେବାର ଦୁଃଖକୁ ଘରେ ଦୂର କରିବେ ବୋଲି ଆଶା ଥିଲା। ହେଲେ ଘରୋଇ ପରିବେଶରେ ଓଡ଼ିଶା ରଣଜୀ ଦଳ ଆହୁରି ଶୋଚନୀୟ ବ୍ୟାଟିଂ କଲା। ପାଗ, ପରିବେଶ ଓ ପିଚ୍ ଅନୁକୂଳ ଥିଲେ ମଧ୍ୟ ଅତି ସାଧାରଣ ବ୍ୟାଟିଂ କରି ମାତ୍ର ୧୯୪ ରନ୍ରେ ଅଲଆଉଟ୍ ହୋଇଗଲା। ସୋମବାରଠାରୁ ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ସର୍ଭିସେସ୍ ବିପକ୍ଷ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଏଭଳି ଦୟନୀୟ ପ୍ରଦର୍ଶନ ଓଡ଼ିଶା ଦଳରେ ଥିବା ପ୍ରତିଭା ମରୁଡ଼ିର ଆଉ ଏକ ନଗ୍ନ ଉଦାହରଣ ବି ପାଲଟିଛି।
ପ୍ରତିପକ୍ଷ ସ୍ପିନର ପୁଲକିତ ନାରଙ୍ଗଙ୍କ ସ୍ପିନ୍ ଉଚ୍ଚକୋଟୀର ଥିଲା। ତେବେ ଖରାପ ସଟ୍ ଚୟନ, ରଣନୀତିକୁ ରନ୍ରେ ରୂପାନ୍ତର କରିବାର ବିଫଳତା ତଥା ଚାପରେ ଚାପି ନହୋଇ, ଧୈର୍ଯ୍ୟର ସହ ଖେଳିବାର କଳା, କୌଶଳର ଘୋର ଅଭାବ ପାଇଁ ଆଉ ଏକ ଦୁର୍ବଳ ତଥା ଦୟନୀୟ ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କଲା ଶୁଭ୍ରାଂଶୁ ସେନାପତିଙ୍କ କ୍ରିକେଟ୍ ବାହିନୀ। ଦଳର ସବୁ ଖେଳାଳିଙ୍କ ଆତ୍ମବିଶ୍ବାସ ଯେ ଋତୁ ଆରମ୍ଭରୁ ଦୋହଲି ସାରିଛି, ତାହା ସୋମବାର ଦଳ କରିଥିବା ଅତି ନିମ୍ନ ମାନର ବ୍ୟାଟିଂରୁ ମଧ୍ୟ ଆପାତତଃ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ସାରା ଦିନ ଓଡ଼ିଶା ଖେଳାଳିଙ୍କ କାନ୍ଧ ଉପରୁ ଚାପ ହଟିବାକୁ ଦେଇ ନଥିବା ସର୍ଭିସେସ୍ ଏବେ ଦୃଢ଼ ସ୍ଥିତିରେ ରହିଛି। ଏହି ଦଳର ତାରକା ସ୍ପିନର ନାରଙ୍ଗ ମଧ୍ୟ ନିଜ ପଦାର୍ପଣ ପଡ଼ିଆରେ ସ୍ମରଣୀୟ ବୋଲିଂ ଚିତ୍ର ଅର୍ଜନ କରି ୬ ୱିକେଟ୍ ସଫଳତା ପାଇଛନ୍ତି। ଏହି ୩୨ ବର୍ଷୀୟ ସ୍ପିନର ଦିଲ୍ଲୀ ପକ୍ଷରୁ ଖେଳି ୧୧ ବର୍ଷ ତଳେ ଅର୍ଥାତ୍ ୨୦୧୫ ମସିହାରେ କିଟ୍ ପଡ଼ିଆରେ ହିଁ ରଣଜୀ ପଦାର୍ପଣ କରିଥିଲେ। ଏବେ ସେ ସର୍ଭିସେସ୍ର ମୁଖ୍ୟ ଅସ୍ତ୍ର ପାଲଟିଛନ୍ତି। ଉଭୟ ଓଡ଼ିଶା ଓ ସର୍ଭିସେସ୍ ଚଳିତ ଋତୁରେ ଖେଳିଥିବା ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ଏଣୁ କିଟ୍ରେ ପ୍ରଥମ ବିଜୟ ସନ୍ଧାନରେ ରହିଛନ୍ତି। ଏଭଳି ସ୍ଥିତିରେ ସର୍ଭିସେସ୍ ଅଧିନାୟକ ରଜତ ପାଲିୱାଲ ଆଜି ଟସ୍ ଜିତି ମ୍ୟାଚ୍ ଆରମ୍ଭରୁ ନୈତିକ ବିଜୟ ହାସଲ କରିଥିଲେ। ଅବଶ୍ୟ ଓଡ଼ିଶାର ଦୁଇ ଓପନର୍ ସ୍ବସ୍ତିକ ସାମଲ ଓ ଗୌରବ ଚୌଧୁରୀ ଲଢ଼ିଥିଲେ। ଉଭୟ ପ୍ରଥମ ୱିକେଟ୍ରେ ୭୯ ରନ୍ ଯୋଡ଼ି ଭଲ ଆରମ୍ଭ କରିଥିଲେ। ହେଲେ ସ୍ପିନ୍ ପଡ଼ିବା ଆରମ୍ଭ ହେବା ପରେ ହଠାତ୍ ଓଡ଼ିଶାର ବିପର୍ଯ୍ୟୟ ଘଟିଥିଲା।
ସ୍ବସ୍ତିକଙ୍କୁ ୨୫ତମ ଓଭରରେ ନାରଙ୍ଗ କ୍ଲିନ୍ ବୋଲ୍ଡ କରିବା ପରେ ଓଡ଼ିଶାର ୱିକେଟ୍ ଫାଟକ ଯେମିତି ପୂରା ଖୋଲି ଯାଇଥିଲା। ଅର୍ଦ୍ଧଶତକର ୯ ରନ୍ ପୂର୍ବରୁ ଗୌରବ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ଅଧିନାୟକ ଶୁଭ୍ରାଂଶୁଙ୍କ ସହ ମାତ୍ର ୫୪ ରନ୍ ଭିତରେ ୫ ୱିକେଟ୍ ହରାଇ ଅଚାନକ ଦିଗ ହରାଇ ବସିଥିଲା ଓଡ଼ିଶା। ଦୁଇ ପେସାଦାର ନିନାଦ ରାଥଭ ଓ ଲଲିତ ଯାଦବ ପୁଣି ଥରେ ନିରାଶ କରିଥିଲେ। ଶେଷ ଆଡ଼କୁ ଅନିଲ ପରିଡ଼ା ଓ ରାଜେଶ ମହାନ୍ତିଙ୍କ ପ୍ରତି ଆକ୍ରମଣ ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ଶେଷ ଦୁଇ ୱିକେଟ୍ ଭାବେ ପଦାର୍ପଣକାରୀ ଓମ୍କାର ମହାନ୍ତି ଓ ବାଦଲ ବିଶ୍ବାଳ ଖାତା ଖୋଲି ନ ପାରିବା ପରେ ରାଜେଶ ଗୋଟିଏ ପଟେ ଅପରାଜିତ ରହି ଯାଇଥିଲେ। ଘରୋଇ ଦଳ ୮୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୪ ରନ୍ କରିବା ସହ ୨୦୦ ରନ୍ ବି ଛୁଇଁ ପାରି ନଥିଲା। ଏହାର ଜବାବରେ ସର୍ଭିସେସ୍ ୫ ଓଭର ଖେଳି ବିନା କ୍ଷତିରେ ୧୩ ରନ୍ କରି ନେଇଥିଲା। ଦୁଇ ଓପନର୍ ଶୁଭମ ରୋହିଲା ଓ ନିତିନ ତନୱାର ନିଜ ଦଳର କୌଣସି କ୍ଷତି ଘଟିବାକୁ ଦେଇ ନଥିଲେ। ସର୍ଭିସେସ୍ ହାତରେ ଏବେ ପୂରା ୧୦ ୱିକେଟ୍ ଥିଲା ବେଳେ ଏହି ଦଳ ଓଡ଼ିଶାଠାରୁ ମାତ୍ର ୧୮୧ ରନ୍ ପଛରେ ରହିଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୨୮ରୁ ବର୍ଷା ହେବାର ଥିବାରୁ ପ୍ରଥମ ପାଳି ଅଗ୍ରଣୀ ଲାଭ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ବୋଲି ଅଧିନାୟକ ରଜତ ପାଲିୱାଲ କହିଛନ୍ତି। ସେପଟେ ଓଡ଼ିଶା ପାଇଁ ଦ୍ବିତୀୟ ଦିନର ଖେଳ ବଡ଼ ପରୀକ୍ଷା ନେଇ ଆସିବାକୁ ଯାଉଛି।
ସୌଜନ୍ୟ ସମ୍ବାଦ




