Sudan Drone Attack: ସୁଡାନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ; ୧୦୦ରୁ ଅଧିକ ମୃତ, ୧୧୩ ଆହତ

ନୂଆଦିଲ୍ଲୀ, ୨୮/୧୦: ସୁଡାନରେ ଜାରି ରହିଥିବା ଗୃହଯୁଦ୍ଧ ମଧ୍ୟରେ ଡ୍ରୋନ୍ ଆକ୍ରମଣ । ଭୟଙ୍କର ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୧୩ଜଣ ଆହତ ହୋଇଛନ୍ତି। ଦକ୍ଷିଣ-ପଶ୍ଚିମ ସୁଡାନର ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନ୍ୟାଲା (Nyala) ସହରରେ ଏହି ଆତ୍ମଘାତୀ ଡ୍ରୋନ୍ ହମଲା ହୋଇଛି । ଦେଶର ମାନବାଧିକାର ସଂଗଠନ ‘ଇମର୍ଜେନ୍ସି ଲୟର୍ସ’ ମଙ୍ଗଳବାର ଜାରି ନିଜର ବିବୃତିରେ ଏହି ହମଲା ପାଇଁ ସୁଡାନୀ ସେନାକୁ ଦାୟୀ କରିଛି ।
ରାଜଧାନୀରେ ଧ୍ବଂସଲୀଳା, ଶତାଧିକ ମୃତ:
‘ଇମର୍ଜେନ୍ସି ଲୟର୍ସ’ ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିଲା। ଶତାଧିକ ମୃତାହତଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଥିବା କୁହାଯାଉଛି । ରାଜଧାନୀ ନ୍ୟାଲାର ଜନଗହଳୀପୂର୍ଣ୍ଣ ସ୍ଥାନ ଶ୍ମଶାନରେ ପରିଣତ ହୋଇଛି । ଅନ୍ୟପଟେ ଏହି ଡ୍ରୋନ ଅକ୍ରମଣକୁ ‘ଇମର୍ଜେନ୍ସି ଲୟର୍ସ’ ସଂଗଠନ ତୀବ୍ର ନିନ୍ଦା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ।
ହସ୍ପିଟାଲରେ ପହଞ୍ଚିଲା ୩୬ ମୃତଦେହ, ୧୫୦ ଆହତ
ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ ‘ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ’ (MSF) ପୂର୍ବରୁ ସୂଚନା ଦେଇଥିଲା ଯେ, ନ୍ୟାଲାରେ ଥିବା ଏହାର ହସ୍ପିଟାଲକୁ ୩୬ଜଣଙ୍କ ମୃତଦେହ ଅଣାଯାଇଥିଲା। ଏହା ସହ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ୧୫୦ଜଣ ଗୁରୁତର ପହଞ୍ଚିଥିଲେ । ଏହି ଆତ୍ମଘାତୀ ହମଲା ପରେ ରାଜଧାନୀ ନ୍ୟାଲା ବର୍ତ୍ତମାନ ଅର୍ଦ୍ଧସାମରିକ ସଂଗଠନ ରାପିଡ୍ ସପୋର୍ଟ ଫୋର୍ସେସ୍ (RSF) ନିୟନ୍ତ୍ରଣରେ ରହିଛି । ଅନ୍ୟପଟେ ସଂଗଠନ ଏପ୍ରିଲ୍ ୨୦୨୩ରୁ ସୁଡାନୀ ସେନା ବିରୋଧରେ ଯୁଦ୍ଧ କରୁଛି।
ଡ୍ରୋନ୍ ଆକ୍ରମଣରେ ବଢ଼ୁଛି ମୃତ୍ୟୁ ସଂଖ୍ୟା:
ସୁଡାନରେ ଚାଲିଥିବା ଗୃହଯୁଦ୍ଧରେ ଡ୍ରୋନ୍ ଆକ୍ରମଣର ବ୍ୟବହାର ଦିନକୁ ଦିନ ବଢ଼ୁଛି । ଗତ କିଛି ସପ୍ତାହ ମଧ୍ୟରେ ସୁଡାନୀ ସେନା ଓ RSF ଉଭୟ ପକ୍ଷରୁ ଡ୍ରୋନ୍ ଆକ୍ରମଣ ବଢ଼ିଥିବା ରିପୋର୍ଟ କୁହାଯାଇଛି । ଏହି ହମଲାରେ ଶତାଧିକ ଲୋକଙ୍କ ଜୀବନ ଯାଇଛି । ଉଭୟ ପକ୍ଷ ବିସ୍ଫୋରକ ଭର୍ତ୍ତି ଡ୍ରୋନ୍ ବ୍ୟବହାର କରୁଥିବାବେଳେ ହସ୍ପିଟାଲ, ବନ୍ଧ, ସ୍କୁଲ, ବଜାର ଓ ବିସ୍ଥାପିତଙ୍କ ଶିବିର ଭଳି ସ୍ଥାନକୁ ଟାର୍ଗେଟ୍ କରୁଛନ୍ତି । ମିଳିତ ଜାତିସଂଘ (UN) ଅନୁସାରେ, ସୁଡାନରେ ଡ୍ରୋନ୍ ଆକ୍ରମଣ ସାଧାରଣ ନାଗରିକଙ୍କ ପାଇଁ ଏକ ଗୁରୁତର ବିପଦ ପାଲଟିଛି ।
୩.୪ କୋଟି ଲୋକଙ୍କୁ ଆବଶ୍ୟକ ମାନବୀୟ ସହାୟତା:
ସୁଡାନରେ ଜାରି ରହିଥିବା ଗୃହଯୁଦ୍ଧ ବିଶ୍ୱର ସବୁଠାରୁ ବଡ଼ ମାନବୀୟ ସଙ୍କଟ ସୃଷ୍ଟି କରିଛି । ମିଳିତ ଜାତିସଂଘର ସୂଚନା ଅନୁସାରେ, ଦେଶର ପ୍ରାୟ ୩.୪ କୋଟି ଲୋକଙ୍କୁ ମାନବୀୟ ସହାୟତା ଆବଶ୍ୟକ । ଏହା ସୁଡାନର ମୋଟ୍ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ । ୨୦୨୩ ଏପ୍ରିଲ୍ରେ ସୁଡାନୀ ସେନା ଓ ଅର୍ଦ୍ଧସାମରିକ ସଂଗଠନ RSF ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ରାଜଧାନୀ ଖାର୍ତୁମ୍ରେ ଖୋଲା ଯୁଦ୍ଧ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସଂଘର୍ଷ ଦେଶର ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା ।
ସୌଜନ୍ୟ ପ୍ରମେୟ




