ରାଜ୍ୟ

Kotia: କୋଟିଆ କାହାର? ପରିଚୟ ଅପେକ୍ଷାରେ ୨୧ ଗ୍ରାମବାସୀ, ନିର୍ବାଚନ ଆସିଲେ ତତ୍ପର, ସରିଗଲେ ସବୁ ନିରବ

କୋଟିଆ ପଞ୍ଚାୟତ ଅଧୀନରେ ଥିବା ୨୧ ଗ୍ରାମ, ଏଠାକାର ଅଧିବାସୀ କେଉଁ ରାଜ୍ୟର; ଓଡ଼ିଶାର ନା ଆନ୍ଧ୍ରର। ବର୍ଷେ କି ଦି’ ବର୍ଷ ନୁ‌େହଁ, ୭୩ ବର୍ଷ ଧରି ଏହି ପ୍ରଶ୍ନର ଉତ୍ତର ଚାହୁଁଛନ୍ତି ରାଜ୍ୟବାସୀ।

ଜୟପୁର (ନବୀନ ଚନ୍ଦ୍ର ସାହୁ): କୋଟିଆ ପଞ୍ଚାୟତ ଅଧୀନରେ ଥିବା ୨୧ ଗ୍ରାମ, ଏଠାକାର ଅଧିବାସୀ କେଉଁ ରାଜ୍ୟର; ଓଡ଼ିଶାର ନା ଆନ୍ଧ୍ରର। ବର୍ଷେ କି ଦି’ ବର୍ଷ ନୁ‌େହଁ, ୭୩ ବର୍ଷ ଧରି ଏହି ପ୍ରଶ୍ନର ଉତ୍ତର ଚାହୁଁଛନ୍ତି ରାଜ୍ୟବାସୀ। ବିବାଦର ଅନ୍ତ କେବେ ଏବଂ କେମିତି ହେବ ତାକୁ ନେଇ ଉଭୟ ରାଜ୍ୟ ସନ୍ଦିହାନ। ଏଣେ ଅଧିକାର, ସମ୍ମାନ ଏବ ଭୋଟବ୍ୟାଙ୍କ ରକ୍ଷା ପାଇଁ ଚାଲିଛି ଲଢ଼େଇ। ୧୯୬୮ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ବସିଥିବା ବୈଠକରେ କୌଣସି ନିର୍ଯ୍ୟାସ ନ ବାହାରିବା ପରେ ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ଅଛି। ୨୦୦୬ରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ନେଇ ଦେଇଥିବା ନିର୍ଦ୍ଦେଶ ଆନ୍ଧ୍ର ପାଇଁ ଅନୁପ୍ରବେଶର ସୁଯୋଗ ସୃଷ୍ଟି କରିଛି। ଯାହାର ଫାଇଦା ଉଠାଇ ଆନ୍ଧ୍ର ଓଡ଼ିଶା ମାଟିର ହକ୍‌ ଏବଂ ଲୋକଙ୍କୁ ନିଜ ସପକ୍ଷରେ ନେବାକୁ ଲାଗିପଡ଼ିଛି।

ସରକାରୀ ଯୋଜନା ନାଁ’ରେ ଆନ୍ଧ୍ର ଦେଉଥିବା ସହାୟତା ଓଡ଼ିଶା ସପକ୍ଷରେ କୋଟିଆବାସୀଙ୍କ ସମର୍ଥନକୁ ଦୁର୍ବଳ କରିବାରେ ଲାଗିଛି। ଅସଲରେ ଏହି ମାମଲା ପଛର ମୂଳ କାରଣ ଖଣି। ପୂର୍ବଘାଟ ପର୍ବତମାଳାରେ ଭରି ରହିଛି ଉନ୍ନତମାନର ବକ୍ସାଇଟ୍‌, ଲାଟେରାଇଟ୍‌ ଓ ମାଙ୍ଗାନିଜ୍‌। କୋରାପୁଟ ଜିଲ୍ଲାର କୋଟିଆ ଏବଂ ପଟାଙ୍ଗି ଓ ସେମିଳିଗୁଡ଼ାର ପାହାଡ଼ଗୁଡ଼ିକ ଏହି ଶ୍ରେଣୀର ବୋଲି ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ)ର ସର୍ଭେରୁ ଜଣାଯାଇଛି। କୋଟିଆ ପଞ୍ଚାୟତର ଶେଷ ଗାଁ ହରମାଣ୍ଡାଙ୍ଗିକୁ ଲାଗିଥିବା ଏବଂ ଉଭୟ ରାଜ୍ୟକୁ ଲମ୍ବିଥିବା ପାହାଡ଼ରେ ଗଚ୍ଛିତ ଅଛି ବିପୁଳ ମାଙ୍ଗାନିଜ୍‌। ମାଙ୍ଗାନିଜ୍‌ ଖନନ ପାଇଁ ଆନ୍ଧ୍ର ଏକ ରାଷ୍ଟ୍ରାୟତ୍ତ କମ୍ପାନି ସହ ଚୁକ୍ତି କରିବା ପରେ ୨୦୨୫ରେ ଖନନ ଲାଗି ସର୍ଭେ ପ୍ରକ୍ରିୟା ଆରମ୍ଭ କରିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ପରେ ସର୍ଭେ କାମ ବନ୍ଦ ରହିଛି। ସେହିପରି ତଳସେମ୍ବିରେ ମାଙ୍ଗାନିଜ୍‌, ଉପରସେମ୍ବିରେ ସୁନାଖଣି ଥିବା ନେଇ କହିଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି। ମାଙ୍ଗାନିଜ୍‌ ଓ ବକ୍ସାଇଟ୍‌ ସନ୍ଧାନକୁ ଜିଏସ୍‌ଆଇ ସ୍ପଷ୍ଟ କରିଥିବା ବେଳେ ସୁନା ନେଇ ସ୍ପଷ୍ଟ ସୂଚନା ଦେଇନି। ହରମାଣ୍ଡାଙ୍ଗି, ତଳସେମ୍ବି, ଉପରସେମ୍ବିକୁ ଛାଡ଼ିଲେ ଏହାର ଆଖପାଖରେ ଥିବା ପାହାଡ଼ଗୁଡ଼ିକରେ ବକ୍ସାଇଟ ମଧ୍ୟ ଗଚ୍ଛିତ ରହିଛି। ଯାହା କୋଟିଆ ବିବାଦର ମୂଳ ମଞ୍ଜି ବୋଲି ରାଜନୈତିକ ଦଳ ସମେତ ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।

ଉଭୟ ଆନ୍ଧ୍ର ଏବଂ ଓଡ଼ିଶା କୋଟିଆ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଅଣଓସାରିଆ ପିଚୁ ରାସ୍ତାକୁ ଛାଡ଼ିଲେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ସ୍ଥାୟୀ ବିକାଶ ଦିଗରେ ଦୁଇ ରାଜ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ଓଡ଼ିଶା ମାସିକ ଭତ୍ତା ହଜାରେ ଟଙ୍କା ଦେଉଥିବା ବେଳେ ଆନ୍ଧ୍ର ଦେଉଛି ୪ ହଜାର। ଓଡ଼ିଶା ମୁଣ୍ଡପିଛା ୫ କେଜି ଚାଉଳ ଦେଉଥିବା ବେଳେ ଆନ୍ଧ୍ର ଘର ପିଛା ୩୫ କେଜି ଚାଉଳ ଦେଉଛି। ଆନ୍ଧ୍ରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୫ ହଜାର ଷ୍ଟାଇପେଣ୍ଡ, ମାଗଣା ସୋଲାର୍‌ ସଂଯୋଗ ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ଓ କର୍ମନିଯୁକ୍ତି କ୍ଷେତ୍ରରେ ଆନ୍ଧ୍ର ଓଡ଼ିଶା ଅପେକ୍ଷା ଅଧିକ ସହାୟତା ପ୍ରଦାନ କରୁଛି। ଯେଉଁଥିପାଇଁ କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ସମର୍ଥନ କରୁଛନ୍ତି ବିବାଦୀୟ ଗ୍ରାମବାସୀ। ୧୯୩୬ରେ ଓଡ଼ିଶା ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପାଇବା ପରଠାରୁ ଆନ୍ଧ୍ର ସୀମାନ୍ତରେ ଥିବା ୨୮ଟି ଗାଁ (୨୧ ରାଜସ୍ବ ଏବଂ ୭ ହାମଲେଟ୍‌) ଓଡ଼ିଶାର କୋଟିଆ ପଞ୍ଚାୟତରେ ରହି ଆସିଛି। ୧୯୫୩ରେ ଆନ୍ଧ୍ରପ୍ରଦେଶ ଗଠନ ପରେ ଏହି ଅଞ୍ଚଳ ନିଜର ବୋଲି ଦାବି କରିଆସୁଛି। ୧୯୫୨ରୁ କୋଟିଆରେ ସାଧାରଣ ଓ ପଞ୍ଚାୟତ ନିର୍ବାଚନ କରି ଆସୁଛି ଓଡ଼ିଶା। ଏହା ସତ୍ତ୍ବେ ଆନ୍ଧ୍ର କୋଟିଆରେ ଅନୁପ୍ରବେଶ କରି ଜୋର୍‌ଜବରଦସ୍ତ ନିର୍ବାଚନ କରୁଛି। ୨୦୨୧ରେ ମଧ୍ୟ ଆନ୍ଧ୍ର କୋଟିଆରେ କରିଥିବା ପଞ୍ଚାୟତ ନିର୍ବାଚନକୁ ବିରୋଧ କରିଥିଲା ଓଡ଼ିଶା। ନିର୍ବାଚନ ସରିବା ପରେ ଓଡ଼ିଶା ଚୁପ୍‌ ହୋଇ ବସିଯାଉଥିବା ବେଳେ ଆନ୍ଧ୍ର ପ୍ରତି ଗାଁରେ ମାସିକ ୧୦ ହଜାରରେ ଏଜେଣ୍ଟ ନିୟୋଜିତ କରି ସମର୍ଥନ ଗୋଟାଇବା ଲାଗି ବର୍ଷତମାମ୍‌ କାର୍ଯ୍ୟକ୍ରମ ଜାରି ରଖୁଛି। ଯାହା ଓଡ଼ିଶା ଅପେକ୍ଷା କୋଟିଆ ଅଞ୍ଚଳରେ ଆନ୍ଧ୍ର ସପକ୍ଷରେ ଜନମତ ବୃଦ୍ଧିର ଅନ୍ୟତମ କାରଣ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button