Andhra Panchayat elections: ନଭେମ୍ବର ୫କୁ ଘୁଞ୍ଚିଲା ଆନ୍ଧ୍ର ପଞ୍ଚାୟତ ନିର୍ବାଚନ: ୬ରେ ପୁନଃଭୋଟ, ୭ରେ ଗଣତି
ଏପଟେ ସୀମାନ୍ତରେ ଆନ୍ଧ୍ରର ଅନୁପ୍ରବେଶକୁ ଓଡ଼ିଶା ଜୋର୍ଦାର ବିରୋଧ କରିଛି। ସେପଟେ ଆନ୍ଧ୍ରପ୍ରଦେଶର ଏମ୍ପିଟିସି (ସମିତିସଭ୍ୟ) ଓ ଜେଡ୍ପିଟିସି (ଜିଲ୍ଲା ପରିଷଦ) ନିର୍ବାଚନ ଘୁଞ୍ଚିଛି।

କୋରାପୁଟ/ନନ୍ଦପୁର: ଏପଟେ ସୀମାନ୍ତରେ ଆନ୍ଧ୍ରର ଅନୁପ୍ରବେଶକୁ ଓଡ଼ିଶା ଜୋର୍ଦାର ବିରୋଧ କରିଛି। ସେପଟେ ଆନ୍ଧ୍ରପ୍ରଦେଶର ଏମ୍ପିଟିସି (ସମିତିସଭ୍ୟ) ଓ ଜେଡ୍ପିଟିସି (ଜିଲ୍ଲା ପରିଷଦ) ନିର୍ବାଚନ ଘୁଞ୍ଚିଛି। ନଭେମ୍ବର ୩ରେ ହେବାକୁ ଥିବା ନିର୍ବାଚନକୁ ୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ଆନ୍ଧ୍ର ନିର୍ବାଚନ କମିସନର। ଏ ନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୫ ତାରିଖରେ କୌଣସି କାରଣରୁ କୌଣସି ବୁଥ୍ରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ୬ ତାରିଖରେ ପୁନଃମତଦାନ କରିବା ପାଇଁ ରାଜ୍ୟ ନିର୍ବାଚନର କମିସନର ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ପରେ ନଭେମ୍ବର ୭ରେ ଗଣତି ଏବଂ ଫଳାଫଳ ଘୋଷଣା ହେବ।
୬ରେ ପୁନଃଭୋଟ, ୭ରେ ଗଣତି
ରାଇପାହାଡ଼ରେ ଓଡ଼ିଶା ପ୍ରଶାସନର ସ୍ଥିତି ଅନୁଧ୍ୟାନ
ଆନ୍ଧ୍ର ନିର୍ବାଚନକୁ ନେଇ କୋଟିଆରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କୋଟିଆର ୨୧ଟି ଗ୍ରାମକୁ ନେଇ ଆନ୍ଧ୍ର ଓଡ଼ିଶାର ନେରେଡିୱାଲସା ଏବଂ ଆନ୍ଧ୍ରର କୋଡମାରେ ମତଦାନ କେନ୍ଦ୍ର କରିଛି। ଆନ୍ଧ୍ରର ଏପରି ନିଷ୍ପତ୍ତିକୁ ବିରୋଧ କରିଛି ଓଡ଼ିଶା ପ୍ରଶାସନ ଓ ବିଭିନ୍ନ ରାଜନୈତିକ ଦଳ। କୋରାପୁଟ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା କୋଟିଆ ଗସ୍ତ କରି ଆନ୍ଧ୍ର ନିର୍ବାଚନରେ ମତଦାନ ନ କରାଇବା ପାଇଁ ପଦକ୍ଷେପ ନେଇଛନ୍ତି। ବିଜେଡି, ବିଜେପି, କଂଗ୍ରେସ କୋଟିଆବାସୀଙ୍କୁ ମତଦାନ ନ କରିବା ଲାଗି ବୁଝାଇବା ସହ ଆନ୍ଧ୍ର ପୁଲିସ ଓ ଅଧିକାରୀଙ୍କୁ ତୁରନ୍ତ ଓଡ଼ିଶା ଛାଡ଼ି ଫେରିଯିବାକୁ ଚେତାବନୀ ଦେଇଛନ୍ତି। ସେପଟେ ନନ୍ଦପୁର ବ୍ଲକ୍ ରାଇପାହାଡ଼ବାସୀ ମଧ୍ୟ ଆନ୍ଧ୍ର ନିର୍ବାଚନରେ ମତଦାନ କରିବା ନେଇ ସୂଚନା ମିଳିବା ପରେ ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଲୋଚନା ସମୟରେ ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଭାଗ ନ ନେବା ଲାଗି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ତହସିଲଦାର ଦେବବ୍ରତ ମହାରଣା, ବାଲଡା ରେଞ୍ଜର୍ ଶ୍ରଦେୟ ମନ୍ତ୍ରୀ, ନନ୍ଦପୁର ବ୍ଲକ୍ ଯୋଗାଣ ନିରୀକ୍ଷକ ବଳରାମ ଜେନା, ପାଡୁଆ ଥାନା ଅଧିକାରୀ ଟୁନା ପିଡିକା ପ୍ରମୁଖ ରାଇପାହାଡ଼ରେ ସ୍ଥିତି ସମୀକ୍ଷା କରିଥିଲେ।
ସୌଜନ୍ୟ ସମ୍ବାଦ




