ରାଜ୍ୟ

Super cyclone: ମହାବାତ୍ୟାର ୨୭ ବର୍ଷ ପରେ ବି ଅସୁରକ୍ଷିତ ଉପକୂଳ: ତିଆରି ହୋଇପାରିଲାନି ଜୁଆର ପ୍ରତିରୋଧ ବନ୍ଧ

୨୯ ଅକ୍ଟୋବର ୧୯୯୯। ଆଜି ବି ତାଜା ହୋଇ ରହିଛି ୨୭ ବର୍ଷ ତଳର ଏହି ଦିନ। ଏହି ମହାବାତ୍ୟାରେ ହଜାରହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ଏକାଧିକ ଗାଁ ନିଶ୍ଚିହ୍ନ ହୋଇ ଯାଇଥିଲା।

ଜଗତସିଂହପୁର (ଶୁଭକାନ୍ତ ପଢ଼ିହାରୀ): ୨୯ ଅକ୍ଟୋବର ୧୯୯୯। ଆଜି ବି ତାଜା ହୋଇ ରହିଛି ୨୭ ବର୍ଷ ତଳର ଏହି ଦିନ। ଏହି ମହାବାତ୍ୟାରେ ହଜାରହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ଏକାଧିକ ଗାଁ ନିଶ୍ଚିହ୍ନ ହୋଇ ଯାଇଥିଲା। ଏହା ପରଠାରୁ ଯେତେବେଳେ ବାତ୍ୟା ଆସେ ସେତେବେଳେ ଜଗତସିଂହପୁର ବିଶେଷ କରି ଏରସମା, ବାଲିକୁଦାର ମୁହାଣ ପାଖ ଅଞ୍ଚଳ ଓ ପାରାଦୀପ ଅଞ୍ଚଳରେ ଛନକା ପଶେ। କିନ୍ତୁ ମହାବାତ୍ୟାର ୨୭ ବର୍ଷ ପରେ ବି ଉପକୂଳ ଅସୁରକ୍ଷିତ ହୋଇ ରହିଛି।

ଏରସମାର ଗଡ଼ହରିଶପୁର ପୂର୍ବତଟରୁ ରାମତରା ପର୍ଯ୍ୟନ୍ତ ଉପକୂଳକୁ ସମୁଦ୍ର ଜୁଆର ଧୀରେଧୀରେ ମାଡ଼ିବାକୁ ଲାଗିଛି। ୧୯୯୯ ମହାବାତ୍ୟା ପରେ ସମୁଦ୍ର ମାଡ଼ି ଆସିବାରୁ ଏହି ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଗାଁ ମାଟିରେ ମିଶିଯିବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଶିଆଳି ବେଳାଭୂମି ନୂଆ କରି ତିଆରି ହୋଇଥିଲା। ପ୍ରାୟ ୨୭ ବର୍ଷ ଭିତରେ ଗୋଟିଏ କିଲୋମିଟର ମାଡ଼ି ଆସିବା ଫଳରେ ଭ୍ୟୁଟାଵାର ଭାଙ୍ଗିବା ସହ ଅନେକ ନିର୍ମାଣ ସମୁଦ୍ରରେ ମିଶି ଗଲାଣି। ଲଘୁଚାପ ସମୟରେ କୂଳଲଙ୍ଘି ଜନବସତିକୁ ମାଡ଼ି ଆସୁଛି ସମୁଦ୍ର। ଏହା ସଂଲଗ୍ନ ପ୍ରାୟ ୧୦ ପଞ୍ଚାୟତ ଓ ୫୦ରୁ ଅଧିକ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ବାଲିକୁଦାର ସମୁଦ୍ର ମୁହାଣ ନିକଟବର୍ତ୍ତୀ କାଠଗଡ଼ିରୁ ବଳଭଦ୍ରପୁର ପର୍ଯ୍ୟନ୍ତ ବିପଦ ରହିଛି। ପାରାଦୀପ ବେଳାଭୂମିରୁ ଢିଙ୍କିଆ ପର୍ଯ୍ୟନ୍ତ ମଧ୍ୟ ବିପଦ ସୃଷ୍ଟି ହୋଇଛି। ମହାବାତ୍ୟା ସମୟରେ ପାରାଦୀପ ସହର ଭିତରେ ଜୁଆର ପାଣି ପଶି ଅନେକ ଲୋକଙ୍କ ଜୀବନ ଯାଇଥିଲା। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଷଣ୍ଢକୁଦ ନିଶ୍ଚିହ୍ନ ହୋଇଯାଇଥିଲା। ଏହି ସବୁ ଅଞ୍ଚଳରେ ଜୁଆର ପ୍ରତିରୋଧ ବନ୍ଧ ଆବଶ୍ୟକ ଥିଲେ ମଧ୍ୟ ନିର୍ମାଣ ହୋଇପାରୁନି। ଅନ୍ୟପକ୍ଷରେ ଚିଙ୍ଗୁଡ଼ି ଚାଷ ପାଇଁ ଶହଶହ ହେକ୍ଟର ଲୁଣା ଜଙ୍ଗଲ ମଧ୍ୟ କାଟି ସଫା କରି ଦିଆଯାଇଛି। ପ୍ରାକୃତିକ ଉପାୟରେ ସମୁଦ୍ର ଜୁଆର ଅଟକିବା ମଧ୍ୟ ଅସମ୍ଭବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button