ଦେଶ ବିଦେଶ

Job: ଉତ୍ତରପ୍ରଦେଶରେ ସାଢ଼େ ୩ ଲକ୍ଷ ଶିକ୍ଷକଙ୍କ ନିଯୁକ୍ତି ଓ ପ୍ରମାଣପତ୍ର ଯାଞ୍ଚ

ଉତ୍ତରପ୍ରଦେଶରେ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଶିକ୍ଷକଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ପ୍ରାୟ ସାଢ଼େ ୩ ଲକ୍ଷ ଶିକ୍ଷକଙ୍କ ନିଯୁକ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସମସ୍ତ ଦସ୍ତାବିଜ ଯାଞ୍ଚ କରାଯିବ। ଯାଞ୍ଚ ପରେ ଜାଲ୍‌..

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଶିକ୍ଷକଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ପ୍ରାୟ ସାଢ଼େ ୩ ଲକ୍ଷ ଶିକ୍ଷକଙ୍କ ନିଯୁକ୍ତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସମସ୍ତ ଦସ୍ତାବିଜ ଯାଞ୍ଚ କରାଯିବ। ଯାଞ୍ଚ ପରେ ଜାଲ୍‌ ଓ ଅନିୟମିତ ଉପାୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସମ୍ପର୍କିତ ରିପୋର୍ଟ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)କୁ ପଠାଯିବ। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି।

ମୌଳିକ ଶିକ୍ଷା ନିର୍ଦ୍ଦେଶକ ଅନିଲ ଭୂଷଣ ଚତୁର୍ବେଦୀ ସମସ୍ତ ଜିଲ୍ଲାର ମଣ୍ଡଳୀୟ ସହାୟକ ଶିକ୍ଷା ନିର୍ଦ୍ଦେଶକ ଓ ମୌଳିକ ଶିକ୍ଷା ଅଧିକାରୀ (ବିଏସ୍‌ଏ)ଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକମାନଙ୍କୁ ନିଜର ନିଯୁକ୍ତିପତ୍ର ସହ ହାଇସ୍କୁଲ, ଇଣ୍ଟରମିଡିଏଟ୍‌, ସ୍ନାତକ, ବିଏଡ୍‌, ବିଟିସି, ଡିଏଲ୍‌ଏଡ୍‌, ବିଏଲ୍‌ଏଡ୍‌ ଏବଂ ଟିଇଟି, ସିଟିଇଟି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି। ସମସ୍ତ ଦସ୍ତାବିଜ ଜିଲ୍ଲାର ବିଏସ୍‌ଏ କାର୍ଯ୍ୟାଳୟରେ ଜମା କରିବାକୁ ହେବ।

ଶିକ୍ଷକମାନଙ୍କୁ ଏକ ସତ୍ୟପାଠ ମଧ୍ୟ ଦାଖଲ କରିବାକୁ ପଡ଼ିବ। ଏଥିରେ ଶିକ୍ଷା ବିଭାଗରେ ବିଏସ୍‌ଏ କିମ୍ବା ତା’ଠାରୁ ଉଚ୍ଚ ପଦରେ କାର୍ଯ୍ୟରତ ବା ଅବସର ନେଇଥିବା ନିକଟ ସମ୍ପର୍କୀୟଙ୍କ ବିବରଣୀ ଦେବାକୁ ହେବ। ସ୍ୱାମୀ, ସ୍ତ୍ରୀ, ବାପା, ମା’, ପୁଅ, ଝିଅ, ବୋହୂ, ଜ୍ୱାଇଁ, ଶାଶୂ, ଶ୍ୱଶୁର, ଶଳା, ଭିଣୋଇ, ନଣନ୍ଦ ଓ ସମ୍ପର୍କୀୟ ଭାଇଭଉଣୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ିବ। ଏପରି କୌଣସି ସମ୍ପର୍କୀୟ ନ ଥିଲେ ମଧ୍ୟ ସତ୍ୟପାଠ ଜରିଆରେ ଏହା ଜଣାଇବାକୁ ହେବ।

ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଦସ୍ତାବିଜ ସଂଗ୍ରହ କରାଯିବ। ଜିଲ୍ଲାର ବିଏସ୍‌ଏମାନେ ଯାଞ୍ଚ ରିପୋର୍ଟ ଏସ୍‌ଟିଏଫ୍‌ର ୧୮ଟି ରେଞ୍ଜ୍‌ କାର୍ଯ୍ୟାଳୟ ଓ ୭ଟି ପୁଲିସ କମିସନରେଟ୍‌କୁ ପଠାଇବେ। ଏହା ଆଧାରରେ ଜାଲ୍‌ ଓ ଅନିୟମିତ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଚିହ୍ନଟ କରାଯିବ। ଉତ୍ତରପ୍ରଦେଶରେ ପୂର୍ବରୁ ମଧ୍ୟ ଜାଲ୍‌ ବିଏଡ୍‌ ଡିଗ୍ରି ଓ ଅନ୍ୟ ପ୍ରମାଣପତ୍ର ଆଧାରରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ଧରାପଡ଼ିଛନ୍ତି। ଶହ ଶହ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। କୁସୁମଲତା ବନାମ ରାଜ୍ୟ ସରକାର ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏହି ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button