ଦେଶ ବିଦେଶ

Anti-Defection Law: ଦୁଇ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ମଧ୍ୟପ୍ରଦେଶ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ବିଧାନସଭାର କାର୍ଯ୍ୟକାଳ ଆହୁରି ଦୁଇ ବର୍ଷ ବାକି ଅଛି ବୋଲି ଦର୍ଶାଇ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନର ଶୁଣାଣିରେ ବିଳମ୍ବ କରାଯାଇପାରିବ ନାହିଁ।

ନୂଆଦିଲ୍ଲୀ: ବିଧାନସଭାର କାର୍ଯ୍ୟକାଳ ଆହୁରି ଦୁଇ ବର୍ଷ ବାକି ଅଛି ବୋଲି ଦର୍ଶାଇ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନର ଶୁଣାଣିରେ ବିଳମ୍ବ କରାଯାଇପାରିବ ନାହିଁ। ଏଭଳି ମାମଲାର ତ୍ୱରିତ ନିଷ୍ପତ୍ତି ହେବା ଆବଶ୍ୟକ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏଥିସହ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତିଙ୍କୁ କଂଗ୍ରେସ ବିଧାୟିକା ନିର୍ମଳା ସାପ୍ରେଙ୍କ ବିରୋଧରେ ଥିବା ଦଳବଦଳ ମାମଲାର ଦୁଇ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଉମଙ୍ଗ ସିଂଘାରଙ୍କ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ନିର୍ମଳା ସାପ୍ରେଙ୍କ ବିଧାୟକ ପଦ ରଦ୍ଦ କରିବାକୁ ୨୦୨୪ ଜୁନ୍‌ରୁ ବାଚସ୍ପତିଙ୍କ ନିକଟରେ ଆବେଦନ ପଡ଼ିରହିଥିବା ନେଇ ସିଂଘାର ସୁପ୍ରିମ୍‌କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆବେଦନରେ ଅଭିଯୋଗ
୨୦୨୩ ବିଧାନସଭା ନିର୍ବାଚନରେ ନିର୍ମଳା ସାପ୍ରେ ବିନା ଆସନରୁ କଂଗ୍ରେସ ଟିକଟରେ ଜିତିଥିଲେ। ତେବେ ସେ ଦଳର ସଦସ୍ୟତା ସ୍ୱେଚ୍ଛାରେ ତ୍ୟାଗ କରି ବିଜେପି ସହ ସମ୍ପର୍କ ସ୍ଥାପନ କରିଥିବା ସିଂଘାରଙ୍କ ଆବେଦନରେ ଅଭିଯୋଗ ହୋଇଛି। ୨୦୨୪ ମେ ୫ରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ରାହତଗଡ଼ଠାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ସାପ୍ରେ ଉପସ୍ଥିତ ଥିବା ଘଟଣାକୁ ମଧ୍ୟ ଏହାର ଆଧାର କରାଯାଇଛି। ୨୦୨୪ ଜୁନ୍‌ ୩୦ରେ ତାଙ୍କ ବିରୋଧରେ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିକଟରେ ଆବେଦନ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button